ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୫ରୁ ୨୭ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ୪୮ତମ ଅଲ୍ ଇଣ୍ଡିଆ ପବ୍ଲିକ୍ ରିଲେସନ୍ସ କନ୍ଫରେନ୍ସ (AIPRC-2026)। ପ୍ରଥମ ଥର ପାଇଁ ଏହି ଜାତୀୟ ସମ୍ମିଳନୀର ଆୟୋଜନ କରିବାକୁ ଯାଉଛି ଓଡ଼ିଶା। ଗୁରୁବାର ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ହରି ବାବୁ କମ୍ଭମପତି ସମ୍ମିଳନୀର ଅଫିସିଆଲ୍ ପୋଷ୍ଟର ଓ ବ୍ରୋଚର ଉନ୍ମୋଚନ କରିଥିଲେ।
ପବ୍ଲିକ୍ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ (PRSI) ପକ୍ଷରୁ ଏବଂ ଏହାର ଭୁବନେଶ୍ୱର ଚାପ୍ଟର ଆୟୋଜନରେ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ପବ୍ଲିକ୍ ରିଲେସନ୍ସ, କର୍ପୋରେଟ୍ କମ୍ୟୁନିକେସନ୍, ମିଡିଆ, ସରକାର, ଶିଳ୍ପ ଓ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେବେ।
ଏହି ବର୍ଷର ଥିମ୍ ରହିଛି “NAVAGUNJARA – Public Relations in the Age of AI”। ଓଡ଼ିଶାର ଐତିହାସିକ ନବଗୁଞ୍ଜର ପ୍ରତୀକରୁ ପ୍ରେରିତ ଏହି ଥିମ୍ ବିବିଧତାର ଏକତା ସହ କୃତ୍ରିମ ବୁଦ୍ଧିମତା (AI) ଯୁଗରେ ଜନସମ୍ପର୍କର ନୂଆ ସମ୍ଭାବନାକୁ ପ୍ରତିଫଳିତ କରିବ।
ରାଜ୍ୟପାଳ କହିଥିଲେ, AIPRC-2026 ଆୟୋଜନ କରିବା ଓଡ଼ିଶା ପାଇଁ ଗୌରବର ବିଷୟ। ସେହିପରି PRSI ଜାତୀୟ ସଭାପତି ଅଜିତ ପାଠକ କହିଥିଲେ, AIର ସୁଯୋଗକୁ ଗ୍ରହଣ କରିବା ସହ ନୈତିକତା, ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧକୁ କେନ୍ଦ୍ରରେ ରଖି ଜନସମ୍ପର୍କର ଭବିଷ୍ୟତ ଉପରେ ଏହି ସମ୍ମିଳନୀରେ ଆଲୋଚନା ହେବ।