ଭାରତ ଏବଂ ଥାଇଲ୍ୟାଣ୍ଡ ସେନା ମଧ୍ୟରେ ଯୁଗ୍ମ ସୈନ୍ୟ ଅଭ୍ୟାସ ମୈତ୍ରୀ-XV ର ୧୫ଶ ସଂସ୍କରଣ ୧୮ ରୁ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଥାଇଲ୍ୟାଣ୍ଡର ସୁରତ ଥାନିସ୍ଥିତ 'ବିଭାବଦୀ ରଙ୍ଗସିତ କ୍ୟାମ୍ପ'ରେ ଆୟୋଜିତ ହେଉଛି। ଏହି ଅଭ୍ୟାସରେ ଭାରତୀୟ ସେନା ଏବଂ ରୋୟାଲ ଥାଇ ଆର୍ମିର ୮୫-୮୫ ଜଣ ଯବାନ ଭାଗ ନେଉଛନ୍ତି। ଭାରତୀୟ ଦଳରେ ୯ ଗୋର୍ଖା ରାଇଫଲ୍ସର ଯବାନ ସାମିଲ ଅଛନ୍ତି, ଯେଉଁଥିରେ ଥାଇଲ୍ୟାଣ୍ଡ ପକ୍ଷରୁ 3rd Battalion, 25th Infantry Brigade ର ସୈନିକ ଭାଗ ନେଉଛନ୍ତି।
ଏହି ଅଭ୍ୟାସକୁ ରୋୟାଲ ଥାଇ ଆର୍ମିର 4th ଆର୍ମି ଏରିଆ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ନୋରାଥପ ଫୋୟନୋକଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଦୁଇ ସେନା ମଧ୍ୟରେ ତାଳମେଳ ବୃଦ୍ଧି କରିବା ଏବଂ ଜଙ୍ଗଲ ଥଥା ଅର୍ଦ୍ଧ-ସହରୀ ଅଞ୍ଚଳରେ ଆତଙ୍କବାଦୀ ଓ ଉଗ୍ରବାଦ ବିରୋଧୀ ଯୁଗ୍ମ ଅପରେସନର ଅଭିଜ୍ଞତା ବାଣ୍ଟିବା।
ଅଭ୍ୟାସ ସମୟରେ ଯବାନମାନଙ୍କୁ ଜଙ୍ଗଲରେ ସର୍ଭାଇଭାଲ (ବଞ୍ଚି ରହିବା) କୌଶଳ, ପ୍ରାଥମିକ ଚିକିତ୍ସା, ଆହାତ ସୈନିକମାନଙ୍କୁ ସୁରକ୍ଷିତ ବାହାର କରିବା ଏବଂ 'ଟ୍ରେଞ୍ଚ କ୍ଲିୟରିଂ' ପରି ସୈନ୍ୟ କୌଶଳର ତାଲିମ ଦିଆଯାଉଛି। ଏହା ସହିତ ଯୁଗ୍ମ ଅଭିଯାନରେ ଡ୍ରୋନ୍ (UAV) ବ୍ୟବହାରର ମଧ୍ୟ ତାଲିମ ଦିଆଯାଉଛି।
ମୁଏ ଥାଇ (Muay Thai) ତାଲିମ:
ଅଭ୍ୟାସ ସମୟରେ ଭାରତୀୟ ସୈନିକମାନଙ୍କୁ ଥାଇଲ୍ୟାଣ୍ଡର ପାରମ୍ପରିକ ମାର୍ଶଲ ଆର୍ଟ 'ମୁଏ ଥାଇ' ର ତାଲିମ ମଧ୍ୟ ଦିଆଯାଇଥିଲା। ଏହାକୁ "ଆର୍ଟ ଅଫ୍ ଏଟ୍ ଲିମ୍ବସ୍" (Art of Eight Limbs) କୁହାଯାଏ, କାରଣ ଏଥିରେ ମୁଷ୍ଟି, କୋହଣି, ଗୋଡ଼ର ଆଣ୍ଠୁ ଏବଂ ପାଦର ବ୍ୟବହାର କରାଯାଏ।
ମୁଏ ଥାଇ ତାଲିମ ଦ୍ୱାରା ସୈନିକମାନଙ୍କ ଫିଟନେସ୍, ଚପଳତା ଏବଂ ହାତାହାତି ଯୁଦ୍ଧ କରିବାର କ୍ଷମତା ବୃଦ୍ଧି ପାଇବା ସହ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସାଂସ୍କୃତିକ ବୁଝାମଣା ଓ ଆପୋସି ବନ୍ଧୁତା ସୁଦୃଢ଼ ହେଉଛି। ଅଭ୍ୟାସର ପରବର୍ତ୍ତୀ ପର୍ଯ୍ୟାୟରେ ଯୁଗ୍ମ ତାଲିମ ପରେ ଏକ 'ଭାଲିଡେସନ୍ ଏକ୍ସରସାଇଜ୍' ଅନୁଷ୍ଠିତ ହେବ। 'ମୈତ୍ରୀ-XV' ଦ୍ୱାରା ଭାରତ ଓ ଥାଇଲ୍ୟାଣ୍ଡ ସେନା ମଧ୍ୟରେ ସୈନ୍ୟ ସହଯୋଗ, ପାରସ୍ପରିକ ବୁଝାମଣା ଏବଂ ଯୁଗ୍ମ ଅଭିଯାନରେ ସମନ୍ୱୟ ଆହୁରି ମଜବୁତ ହେବ।
'ଏକ୍ସରସାଇଜ୍ ମୈତ୍ରୀ'ର ମୁଖ୍ୟ ଲକ୍ଷ୍ୟ ଭାରତ ଓ ଥାଇଲ୍ୟାଣ୍ଡ ମଧ୍ୟରେ ସୈନ୍ୟ ସହଯୋଗକୁ ପ୍ରୋତ୍ସାହିତ କରିବା। ଏହି ଅଭ୍ୟାସ ଜାତିସଂଘ ଚାର୍ଟରର 'ଚାପ୍ଟର VII' ଅଧୀନରେ ଜଙ୍ଗଲ ଓ ଅର୍ଦ୍ଧ-ସହରୀ ଅଞ୍ଚଳରେ ମିଳିମିଶି ଉଗ୍ରବାଦ-ବିରୋଧୀ/ଆତଙ୍କବାଦ-ବିରୋଧୀ ଅପରେସନ୍ ଚଳାଇବାର ମିଳିତ କ୍ଷମତାକୁ ଉନ୍ନତ କରିବ। ତାଲିମରେ ଫିଲ୍ଡ ଏକ୍ସରସାଇଜ୍, ଯୁଦ୍ଧ ସମ୍ପର୍କିତ ଆଲୋଚନା, ଭାଷଣ, ଡେମୋ ଏବଂ ଶେଷରେ ଏକ ଭାଲିଡେସନ୍ ଏକ୍ସରସାଇଜ୍ ସାମିଲ ରହିଛି। ଦୁଇ ଦେଶର ଟୁକୁଡ଼ି ଅପରେସନ ସହ ଜଡ଼ିତ ଅଭିଜ୍ଞତା ବାଣ୍ଟିବେ ଏବଂ ଯୁଗ୍ମ ଅପରେସନ ସମୟରେ ବ୍ୟବହୃତ ହେଉଥିବା ଆଧୁନିକ ଉପକରଣ ଓ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ କରିବେ।