ଇସ୍ଲାମାବାଦ: ପାକିସ୍ତାନର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଆଦିଆଲା ଜେଲରୁ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଏହି ନିର୍ଦ୍ଦେଶ ପରେ ହସ୍ପିଟାଲ ପରିସର ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପାକିସ୍ତାନୀ ସେନା ଏବଂ ଇସ୍ଲାମାବାଦ ପୋଲିସ ମିଳିତ ଭାବେ ହସ୍ପିଟାଲକୁ ନିଜର ନିୟନ୍ତ୍ରଣକୁ ନେଇଛନ୍ତି।
ଇମ୍ରାନ ଖାନ୍ଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଜୀବନଧାରଣର ଅଧିକାର ଏବଂ ଚିକିତ୍ସା ସେବା ପାଇବାର ସାମ୍ବିଧାନିକ ଗ୍ୟାରେଣ୍ଟିକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଅଦାଲତ ତାଙ୍କୁ ଇସ୍ଲାମାବାଦର ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ମେଡିକାଲ୍ ବୋର୍ଡ ଗଠନ କରାଯିବ, ଯେଉଁଥିରେ ତାଙ୍କ ବ୍ୟକ୍ତିଗତ ଡାକ୍ତର ଏବଂ ଭଉଣୀ ଉଜ୍ମା ଖାନ୍ ମଧ୍ୟ ସାମାମିଲ ରହିବେ। ଏହାଛଡ଼ା ଇମ୍ରାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରତିବର୍ଷ କିମ୍ବା ପ୍ରତି ସପ୍ତାହରେ ନିୟମିତ ଭେଟଘାଟ ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ଅଧିକାରୀମାନଙ୍କୁ କୁହାଯାଇଛି।
ଶାହବାଜ ସରକାରଙ୍କୁ ଝଟ୍କା ଓ ଆଇନଗତ ଲଢ଼େଇ
ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରି ପାକିସ୍ତାନ ସରକାର ଏକ ପୁନର୍ବିଚାର ଆବେଦନ ଦାଖଲ କରିଥିଲେ। ମାତ୍ର ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ ଅସମ୍ପୂର୍ଣ୍ଣ କାଗଜପତ୍ର ଏବଂ ଦସ୍ତାବିଜ୍ ରହିଥିବା ଦର୍ଶାଇ ଏହାକୁ ଖାରଜ କରିଦେଇଛି। ଜେଲ୍ ନିୟମ ଏବଂନ୍ୟାୟର ସିଦ୍ଧାନ୍ତର ଉଲ୍ଲଂଘନ ଅଭିଯୋଗ ଆଣି ସରକାର ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।
ପିଟିଆଇର ଗମ୍ଭୀର ଅଭିଯୋଗ
ଅନ୍ୟପକ୍ଷରେ ପାକିସ୍ତାନ ତହରିକ-ଏ-ଇନସାଫ୍ (PTI) ପକ୍ଷରୁ ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଅଣାଯାଇଛି। ଦଳର ନେତା ଜୁନେଦ ଅକବର ଅଭିଯୋଗ କରିଛନ୍ତି ଯେ, ଶାହବାଜ ସରକାର ଇମ୍ରାନଙ୍କୁ ହସ୍ପିଟାଲ୍ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ଥିଲେ ହେଁ, ନୱାଜ ସରକାରଙ୍କ ଝିଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ଚାପ ଯୋଗୁଁ ଏଥିରେ ବିଳମ୍ବ ହେଉଛି।