ମହାବଳୀପୁରମ୍: କାବେରୀ ନଦୀ ଜଳବଣ୍ଟନ ଏବଂ କର୍ଣ୍ଣାଟକର ବହୁଚର୍ଚ୍ଚିତ 'ମେଖେଦାତୁ ଡ୍ୟାମ୍' ପ୍ରକଳ୍ପକୁ ନେଇ କର୍ଣ୍ଣାଟକ ଏବଂ ତାମିଲନାଡୁ ମଧ୍ୟରେ ପୁଣି ଥରେ ରାଜନୀତି ସରଗରମ ହୋଇଛି। ଚେନ୍ନାଇ ନିକଟସ୍ଥ ମହାବଳୀପୁରମ୍ଠାରେ ଅନୁଷ୍ଠିତ ଦକ୍ଷିଣାଞ୍ଚଳ ପରିଷଦ ବୈଠକରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମେଖେଦାତୁ ପ୍ରକଳ୍ପ ସପକ୍ଷରେ ଖୋଲାଖୋଲି ଦାବି ରଖିଥିବା ବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ନୀରବ ରହିବାକୁ ନେଇ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଡିଏମକେ (DMK) କଡ଼ା ସମାଲୋଚନା କରିଛି।
ଡିଏମକେ ସାଂସଦ ଦୟାନିଧି ମାରନ୍ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଦକ୍ଷିଣାଞ୍ଚଳ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଶିବକୁମାର ମେଖେଦାତୁ ଡ୍ୟାମ୍ ନିର୍ମାଣ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ହେଲେ ଉପସ୍ଥିତ ଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଏହାର କୌଣସି ପ୍ରତିବାଦ ନକରି ନୀରବଦ୍ରଷ୍ଟା ସାଜିଥିଲେ। ତାମିଲନାଡୁର ସ୍ୱାର୍ଥ ରକ୍ଷା କରିବାରେ ବିଜୟ ବିଫଳ ହୋଇଥିବା ମାରନ୍ କହିଛନ୍ତି।
ବିଜୟଙ୍କ ଆଇନଗତ ଯୁକ୍ତି ଓ ପ୍ରଧାନମନ୍ତ୍ରୀଙ୍କୁ ପତ୍ର
ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ବିଜୟ ସିଧାସଳଖ ମେଖେଦାତୁର ନାମ ନନେଇ ୩୧ତମ ଦକ୍ଷିଣାଞ୍ଚଳ ପରିଷଦ ବୈଠକରେ କହିଛନ୍ତି ଯେ, ଉପର ମୁଣ୍ଡର ରାଜ୍ୟଗୁଡ଼ିକ ତଳ ମୁଣ୍ଡର ରାଜ୍ୟର ଜଳ ଅଧିକାରକୁ କ୍ଷୁଣ୍ଣ କରିବା ଉଚିତ ନୁହେଁ। ଯେକୌଣସି ପଦକ୍ଷେପ ଆଇନଗତ ପରିସର ମଧ୍ୟରେ ହେବା ଆବଶ୍ୟକ। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି କାବେରୀ ଟ୍ରିବ୍ୟୁନାଲ୍ ନିଷ୍ପତ୍ତିର ଧାରା-୧୧ ସମ୍ପର୍କରେ ସ୍ମରଣ କରାଇ ଦେଇଛନ୍ତି, ଯେଉଁଥିରେ ପାରସ୍ପରିକ ସହମତି ବିନା ତଳ ମୁଣ୍ଡର ରାଜ୍ୟକୁ ଜଳ ଯୋଗାଣ ପ୍ରଭାବିତ କରାଯାଇପାରିବ ନାହିଁ ବୋଲି ଉଲ୍ଲେଖ ରହିଛି।
ଶିବକୁମାରଙ୍କ ଆଶ୍ୱାସନା ଓ କର୍ଣ୍ଣାଟକରେ ଉତ୍ତେଜନା
ଅନ୍ୟପଟେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଡିକେ ଶିବକୁମାର ଆଶ୍ୱାସନା ଦେଇଛନ୍ତି ଯେ, ପ୍ରସ୍ତାବିତ ମେଖେଦାତୁ ଡ୍ୟାମ୍ ଦ୍ୱାରା ତାମିଲନାଡୁ ଓ ପୁଡୁଚେରୀର ସ୍ୱାର୍ଥ କୌଣସି ପ୍ରକାରେ ବ୍ୟାହତ ହେବ ନାହିଁ।
ସୂଚନାଯୋଗ୍ୟ, ସମ୍ପ୍ରତି କାବେରୀ ୱାଟର ରେଗୁଲେସନ କମିଟି (CWRC) ତାମିଲନାଡୁକୁ ୧୫ ଦିନ ପାଇଁ ଦୈନିକ ୩,୫୦୦ କ୍ୟୁସେକ୍ ଜଳ ଛାଡ଼ିବାକୁ କର୍ଣ୍ଣାଟକକୁ ନିର୍ଦ୍ଦେଶ ଦେଇଥିଲା। ଏହାକୁ ବିରୋଧ କରି କନ୍ନଡ଼ ସଂଗଠନଗୁଡ଼ିକ ରାଜପଥକୁ ଓହ୍ଲାଇବା ସହ ଅଗଷ୍ଟ ୧୩ ତାରିଖରେ କର୍ଣ୍ଣାଟକ ବନ୍ଦ ଡାକରା ଦେଇଥିଲେ।