ରାଞ୍ଚି: ଝାଡ଼ଖଣ୍ଡରେ ଜେପିଏସସି (JPSC) ପରୀକ୍ଷା ବାତିଲ ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଭିନ୍ନ ମୋଡ଼ ନେଇଛି। ସରକାରଙ୍କ ପରୀକ୍ଷା ବାତିଲ ନିଷ୍ପତ୍ତି ଉପରେ ହାଇକୋର୍ଟ ରୋକ୍ ଲଗାଇବା ପରେ, ହେମନ୍ତ ସୋରେନ୍ ସରକାର ଛାତ୍ରଛାତ୍ରୀଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ରାଞ୍ଚିରେ ଏକ ସାମ୍ବାଦିକ ସମ୍ମିଳନୀରେ 'JPSC-JSSC ରିଫର୍ମସ ମଞ୍ଚ'ର ଛାତ୍ରନେତା ରବୀନ୍ଦ୍ର ପାସୱାନ୍ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
ସରକାରଙ୍କ ପ୍ରତାରଣା
ଝାଡ଼ଖଣ୍ଡର ମେଣ୍ଟ ସରକାର ଛାତ୍ରଛାତ୍ରୀ ଏବଂ ରାଜ୍ୟବାସୀଙ୍କୁ ଧୋକା ଦେଇଛନ୍ତି। ଗତ ୨୬ ଦିନ ଧରି ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମରେ ଜାରି ରହିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ସରକାର ଏହି ଚକ୍ରାନ୍ତ କରିଥିଲେ। ହାଇକୋର୍ଟରେ ଶୁଣାଣି ସମୟରେ ସରକାରୀ ଆଇନଜୀବୀ ଛାତ୍ରମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କୌଣସି ଦୃଢ଼ ତଥ୍ୟ ରଖିନଥିଲେ, ଯାହା ସରକାରଙ୍କ ପ୍ରକୃତ ମନୋଭାବକୁ ପଦାରେ ପକାଇଛି। ସରକାରଙ୍କ ଏହି ମନୋଭାବ ବିରୋଧରେ ଝାଡ଼ଖଣ୍ଡର ସମସ୍ତ ୨୪ଟି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ପୁତ୍ତଳିକା ଦାହ କରାଯିବ।
ସରକାର ନିଜର ପ୍ରତିଶ୍ରୁତି ପାଳନ ନକଲେ, ଦୁଇ ମାସର ସମୟସୀମା ପୂର୍ବରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପୁଣି ଥରେ ରାଞ୍ଚି ରାଜପଥକୁ ଓହ୍ଲାଇବେ। "ସରକାର ଯଦି ଛାତ୍ରଙ୍କ ସହ ରାଜନୀତି କରିବେ, ତେବେ ଛାତ୍ରମାନଙ୍କୁ ମଧ୍ୟ ରାଜନୀତି କରିବାକୁ ପଡ଼ିବ" ବୋଲି ସେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୧୪ରୁ ଆୟୋଜିତ ହୋଇଥିବା ୨୨ଟି ପରୀକ୍ଷାକୁ ବାତିଲ କରିବା ସହ ୨୩ଟି ପରୀକ୍ଷାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ହାଇକୋର୍ଟ ଏହି ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ପରେ ଏବେ ଛାତ୍ର ଆନ୍ଦୋଳନ ପୁଣି ଥରେ ତୀବ୍ର ହେବାକୁ ଯାଉଛି।