ସମ୍ବଲପୁର: ହୀରାକୁଦ ଡ୍ୟାମ୍ରେ ଜଳସ୍ତରର ପରିବର୍ତ୍ତନକୁ ନଜରରେ ରଖି ଗେଟ୍ ଖୋଲାବନ୍ଦ ପ୍ରକ୍ରିୟା ଜାରି ରହିଛି। ଶୁକ୍ରବାର ଡ୍ୟାମ୍ କର୍ତ୍ତୃପକ୍ଷ ଆଉ ୪ଟି ସ୍ଲୁଇସ୍ ଗେଟ୍ ବନ୍ଦ କରିଛନ୍ତି। ଏହା ପରେ ହୀରାକୁଦରେ ମୋଟ ୧୧ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି। ଏଥିରୁ ୭ଟି ବାମ ପାର୍ଶ୍ୱରେ ଏବଂ ୪ଟି ଡାହାଣ ପାର୍ଶ୍ୱରେ ରହିଛି।
ସଦ୍ୟତମ ତଥ୍ୟ ଅନୁସାରେ, ଡ୍ୟାମ୍ରୁ ବର୍ତ୍ତମାନ ୨,୦୭,୧୪୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ସେହିପରି ସ୍ପିଲୱେ ଦେଇ ୧,୭୩,୬୧୩ କ୍ୟୁସେକ୍ ଜଳ ଛଡ଼ାଯାଉଛି। ଏହା ପୂର୍ବରୁ ଶୁକ୍ରବାର ସକାଳେ ଜଳସ୍ତର ହ୍ରାସ ପାଉଥିବା ଦେଖି ଦୁଇଟି ସ୍ଲୁଇସ୍ ଗେଟ୍ ବନ୍ଦ କରାଯାଇଥିଲା। ସକାଳ ୯ଟାର ତଥ୍ୟ ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୫୦ ଫୁଟ୍ ରହିଥିଲା ଏବଂ ଏହା ହ୍ରାସମୁଖୀ ଥିଲା।
ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରକୁ ହାରାହାରି ୨,୫୯,୮୦୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା, ଯାହା ବଢ଼ୁଥିବା ଧାରାରେ ଥିଲା। ସେହି ସମୟରେ ହାରାହାରି ଜଳ ନିଷ୍କାସନ ୨,୭୦,୮୫୨ କ୍ୟୁସେକ୍ ରେକର୍ଡ ହୋଇଥିଲା।
ମୋଟ ନିଷ୍କାସିତ ଜଳ ମଧ୍ୟରୁ ୨,୩୬,୭୯୦ କ୍ୟୁସେକ୍ ସ୍ପିଲୱେ, ୩୧,୧୮୨ କ୍ୟୁସେକ୍ ପାୱାର ଚ୍ୟାନେଲ୍, ୨୨୯ କ୍ୟୁସେକ୍ ଶିଳ୍ପ ବ୍ୟବହାର ପାଇଁ ଏବଂ ୨,୬୫୧ କ୍ୟୁସେକ୍ କେନାଲ୍ ବ୍ୟବସ୍ଥା ମାଧ୍ୟମରେ ଛଡ଼ାଯାଉଥିଲା। ଜଳସ୍ତର ହ୍ରାସ ପାଉଥିବାରୁ ପର୍ଯ୍ୟାୟକ୍ରମେ ଗେଟ୍ ବନ୍ଦ କରାଯାଉଥିବା ବେଳେ ଡ୍ୟାମ୍ର ଜଳ ପ୍ରବେଶ ଓ ନିଷ୍କାସନ ଉପରେ କର୍ତ୍ତୃପକ୍ଷଙ୍କ ନଜର ଜାରି ରହିଛି।