ଭୁବନେଶ୍ୱର/ବାରାଣସୀ: ଓଡ଼ିଶାରେ ବନ୍ୟା ପ୍ରତିରୋଧୀ ଓ ସ୍ୱଳ୍ପ ଅବଧିର ଧାନ କିସମ ବିକାଶ ପାଇଁ ଆନ୍ତର୍ଜାତୀୟ ଧାନ ଗବେଷଣା ସଂସ୍ଥା (IRRI) ସହ ସହଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
ଅଗଷ୍ଟ ୨୦ରେ ସେ ବାରାଣସୀସ୍ଥିତ IRRI South Asia Regional Centre (ISARC) ପରିଦର୍ଶନ କରି ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ସହ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଓ ନିବୃତ୍ତି ଲକ୍ଷ୍ୟରାଜ ମେୱାର ମଧ୍ୟ ଉପସ୍ଥିତ ଥିଲେ।
ଉପମୁଖ୍ୟମନ୍ତ୍ରୀ ସ୍ପିଡ୍ ବ୍ରିଡିଂ, ଭାରାଇଟି କାଫେଟେରିଆ, ଡ୍ରୋନ୍ ଆଧାରିତ କୃଷି ପ୍ରଦର୍ଶନ, ଡାଇରେକ୍ଟ ସିଡେଡ୍ ରାଇସ୍ (DSR), ରିଜେନେରେଟିଭ୍ ଆଗ୍ରିକଲଚର, ଜିଓସ୍ପେସିଆଲ୍ ଲ୍ୟାବ୍, ପ୍ଲାଣ୍ଟ ଓ ସଏଲ୍ ଲ୍ୟାବ୍ ସହ ରାଇସ୍ ଭ୍ୟାଲ୍ୟୁ ଆଡିସନ୍ କେନ୍ଦ୍ର ବୁଲି ଦେଖିଥିଲେ। ଆଲୋଚନା ବେଳେ ଓଡ଼ିଶାର କୃଷକମାନଙ୍କ ପାଇଁ ବନ୍ୟା ସହନଶୀଳ ଓ କମ୍ ସମୟରେ ଅମଳ ହେଉଥିବା ଧାନ କିସମ ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ଧାନ ଉତ୍ପାଦନ ବୃଦ୍ଧି, ମୂଲ୍ୟ ସଂଯୋଜନ ଓ ଟିକାଉ କୃଷି ପାଇଁ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
କନକ ବର୍ଦ୍ଧନ ସିଂହଦେଓ କହିଥିଲେ, “ଭାରତ ଓ ଧାନ ପରସ୍ପରଠାରୁ ଅଲଗା ନୁହେଁ। କୃଷକଙ୍କ ପାଇଁ ନୂଆ ପ୍ରଯୁକ୍ତି ଓ କୌଶଳ ବିକାଶରେ IRRI ଓ ISARCର କାର୍ଯ୍ୟ ପ୍ରଶଂସନୀୟ। ଓଡ଼ିଶାର କୃଷି ନବସୃଜନ ପାଇଁ ଏହି ସହଯୋଗକୁ ଆହୁରି ମଜବୁତ କରିବାକୁ ଆମେ ଆଗ୍ରହୀ।”
IRRI ବୈଜ୍ଞାନିକ ଡଃ ସ୍ୱାତି ନାୟକ ଓ ISARC ନିର୍ଦ୍ଦେଶକ ଡଃ ବିକାଶ କୁମାର ସିଂହ କହିଥିଲେ, ଓଡ଼ିଶା ସହ ସଂସ୍ଥାର ଦୀର୍ଘଦିନର ସହଯୋଗ ରହିଛି ଏବଂ ଏହା ଛୋଟ ଚାଷୀଙ୍କ ଜୀବିକା ଓ ଧାନ ଆଧାରିତ କୃଷି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ।
ଏହି ପରିଦର୍ଶନ ମାଧ୍ୟମରେ ଓଡ଼ିଶାରେ ବିଜ୍ଞାନଭିତ୍ତିକ କୃଷି ସମାଧାନ, ଜ୍ଞାନ ବିନିମୟ ଓ ଆନ୍ତର୍ଜାତୀୟ ଭାଗୀଦାରି ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି।