ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଦିଲ୍ଲୀରେ ଡିସିପିଙ୍କୁ ଭେଟି କକ୍ରୋଚ୍ ଜନତା ପାର୍ଟି ପ୍ରତିବାଦ ସମୟରେ ପେଲେଟ୍ ଗନ୍ ବ୍ୟବହାର କରିଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୀଡ଼ିତ ସାହିଲ ଲୋଚବଙ୍କ ସହିତ ଯାଇ ଅଭିଯୋଗ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅଭିଯୋଗ ପଞ୍ଜିକୃତ ନ ହେବାରୁ ରାହୁଲ ଗାନ୍ଧୀ ସଂସଦ ମାର୍ଗରେ ଥିବା ଡିସିପିଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଛନ୍ତି । ଏତଲା ନ ହେବା ଯାଏ ସେ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ରାହୁଲ ।
ଡିସିପି ସଚିନ ଶର୍ମା କହିଛନ୍ତି ଯେ ଦିଲ୍ଲୀ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛନ୍ତି। ତଦନ୍ତ ସମାପ୍ତ ହେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ରାହୁଲ ଗାନ୍ଧୀ ଥାନାରେ ଏଫଆଇଆର ପଞ୍ଜିକୃତ କରିବାକୁ ଦାବି କରିଛନ୍ତି । କଂଗ୍ରେସ ନେତାମାନଙ୍କ ଧାରଣାସ୍ଥଳରେ ଭିଡ଼ ବଢ଼ିବା ଦେଖି ଡିସିପି ନିଜେ ସେମାନଙ୍କ ସହିତ ଆଲୋଚନା କରିବାକୁ ଚେଷ୍ଟା କରିଛନ୍ତି । ଏହା ପରେ, ଡେପୁଟି କମିଶନର ସମସ୍ତ କଂଗ୍ରେସ ନେତାଙ୍କୁ ଷ୍ଟେସନ ଭିତରକୁ ନେଇଗଲେ। ବର୍ତ୍ତମାନ ଦିଲ୍ଲୀ ପୋଲିସ ଏବଂ କଂଗ୍ରେସ ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି।
ସେପଟେ ପୋଲିସ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏକ ବ୍ୟାରିକେଡ୍ ସ୍ଥାପନ କରିଛି ଏବଂ କନଟ୍ ପ୍ଲେସ୍ରୁ ସଂସଦ ମାର୍ଗ ପୋଲିସ ଷ୍ଟେସନ ଆଡକୁ ଯାଉଥିବା ଯାନବାହାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।
ବିଜେପି ସାଂସଦ ରବିଶଙ୍କର ପ୍ରସାଦ ଏହାକୁ ବିରୋଧ କରି କହିଛନ୍ତି ଯେ ରାହୁଲ ଗାନ୍ଧୀ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି । ରାହୁଲ ବିନା କୌଣସି ପୂର୍ବ ସୂଚନାରେ ଥାନାରେ ଧାରଣା ଦେଇଛନ୍ତି । ପୂର୍ବରୁ ପୋଲିସ ସ୍ପଷ୍ଟ କରିସାରିଛି ଯେ ଏହି ମାମଲାରେ ଏତଲା ରୁଜୁ ହୋଇସାରିଛି । ସୁପ୍ରିମକୋର୍ଟ ମଧ୍ୟ ମାମଲାର ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । କିନ୍ତୁ ରାହୁଲ ଗାନ୍ଧୀ ନିୟମ ନ ମାନି ଧାରଣା ଦେଉଛନ୍ତି । ବନ୍ଦେ ମାତରମ୍ ପ୍ରସଙ୍ଗରେ ଧ୍ୟାନ ହଟାଇବାକୁ କଂଗ୍ରେସ ଏଭଳି ନାଟକ କରୁଛି ।