ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ରେ ଘଟିଥିବା ଉତ୍ତେଜନାପୂର୍ଣ୍ଣ ଆନ୍ଦୋଳନ ଓ ହିଂସାକାଣ୍ଡ ମାମଲାରେ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି। ଘଟଣା ପରଠାରୁ ଫେରାର ଥିବା ଅନଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକଙ୍କୁ ପୋଲିସ ପୁରୀରୁ ଗିରଫ କରିଛି।
ସୂଚନାଯୋଗ୍ୟ, ମାଷ୍ଟରକ୍ୟାଣ୍ଟିନ୍ ଛକରେ ହୋଇଥିବା ଅଟୋ ଚାଳକଙ୍କ ବିକ୍ଷୋଭ ଓ ଅଶାନ୍ତ ପରିସ୍ଥିତିର ନେତୃତ୍ୱ ଦୀନବନ୍ଧୁ ନେଉଥିଲେ। ଉତ୍ତେଜନା ସୃଷ୍ଟି ହେବା ପରେ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ଗିରଫ ହେବାର କିଛି ସମୟ ପୂର୍ବରୁ ସେ ଏକ ୧୪ ମିନିଟ୍ର ଭିଡିଓ ବାର୍ତ୍ତା ଜାରି କରି ସାଧାରଣ ଜନତାଙ୍କୁ ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ଏହି ଆନ୍ଦୋଳନ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା ଏବଂ କେବଳ ନିଜର ଦାବି ହାସଲ ପାଇଁ ଡ୍ରାଇଭରମାନେ ରାଜରାସ୍ତାକୁ ଓହ୍ଲାଇଥିଲେ ବୋଲି ସେ ଭିଡିଓରେ ପ୍ରକାଶ କରିଥିଲେ।
ମାଷ୍ଟରକ୍ୟାଣ୍ଟିନ୍ ଘଟଣାରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଆନ୍ଦୋଳନ ନାଁରେ ହିଂସା ସୃଷ୍ଟି କରିଥିବା ଅଭିଯୋଗରେ ୧୧୩ ଜଣଙ୍କୁ କୋର୍ଟଚାଲାଣ କରାଯାଇସାରିଛି। ଖାରବେଳନଗର ଥାନାରେ ୭ଟି ପୃଥକ୍ ମାମଲା (FIR) ରୁଜୁ ହେବା ସହ ୩୫୪ଟି ଗାଡ଼ିକୁ ପୋଲିସ ଜବତ କରିଛି। ଗଣ୍ଡଗୋଳ ସହ ଜଡ଼ିତ ଟ୍ୟାକ୍ସି ଆସୋସିଏସନ୍ କାର୍ଯ୍ୟାଳୟକୁ ବୁଲଡୋଜର ସାହାଯ୍ୟରେ ଭଙ୍ଗାଯାଇଛି।
ଘଟଣାରେ ସାମିଲ ଗାଡ଼ିଗୁଡ଼ିକର ଆରସି (RC) ଏବଂ ପରମିଟ୍ କାହିଁକି ବାତିଲ କରାନଯିବ, ସେ ନେଇ ପରିବହନ ବିଭାଗ ଗାଡ଼ି ମାଲିକମାନଙ୍କୁ 'ଶୋ-କଜ୍' ନୋଟିସ୍ ପଠାଇଛି। ଦୀନବନ୍ଧୁଙ୍କୁ କାବୁ କରିବା ପାଇଁ ପୋଲିସର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଥିବା ବେଳେ ଶେଷରେ ତାଙ୍କୁ ପୁରୀରୁ ଧରିବାରେ ସଫଳତା ମିଳିଛି।