ନୂଆଦିଲ୍ଲୀ: "ଭାରତରେ ଏବେ ରାଜନୈତିକ ସ୍ଥିରତା ଓ ନୀତିଗତ ନିରନ୍ତରତା ରହିଛି। ବିଶ୍ୱରେ ବିକାଶକୁ ନେଇ ଅନେକ ଆଶଙ୍କା ଓ ଚିନ୍ତା ପ୍ରକାଶ ପାଉଥିବା ବେଳେ ଭାରତ ଆଜି ବିଶ୍ୱ ଅର୍ଥନୀତିର ଏକ ଉଜ୍ଜ୍ୱଳ କେନ୍ଦ୍ରବିନ୍ଦୁ ପାଲଟିଛି।" ଶୁକ୍ରବାର 'ଇଟି ଗ୍ଲୋବାଲ ଲିଡର୍ସ ଫୋରମ୍'କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଭାରତରେ ନୀତିଗତ ଓ ପ୍ରଶାସନିକ ସ୍ତରରେ 'ନେକ୍ସଟ୍ ଜେନେରେସନ୍ ରିଫର୍ମ' କରାଯାଉଛି। ଆମ ପାଇଁ ସୁଧାର ବାଧ୍ୟବାଧକତା ନୁହେଁ, ବରଂ ଏହା ଆମର ସଂକଳ୍ପ ଓ ପ୍ରତିବଦ୍ଧତା।
PLP ବଦଳରେ ଆସିଛି PLI ଯୋଜନା
ପୂର୍ବ ସରକାରଙ୍କ ପ୍ରଶାସନିକ ନୀତିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ସମୟ ଥିଲା ଯେତେବେଳେ କୌଣସି କମ୍ପାନୀ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଉତ୍ପାଦନ କଲେ ତାକୁ ନୋଟିସ୍ ଓ ଦଣ୍ଡ ଦିଆଯାଉଥିଲା। ଫଳରେ କମ୍ପାନୀଗୁଡ଼ିକ ନିଜ ସାମଗ୍ରୀ ନିଜେ ନଷ୍ଟ କରିଦେଉଥିଲେ। କିନ୍ତୁ ଆଜିର ସରକାର ଅଧିକ ଉତ୍ପାଦନ ଓ ନିଯୁକ୍ତି ସୃଷ୍ଟି ପାଇଁ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।
୭ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଫୋକସ୍
ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଇଥିବା ଭାଷଣର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସରକାର ସପ୍ତ ସୃଷ୍ଟିର ୭ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ମାନୁଫାକଚରିଂ, କୃଷି ଓ ଫୁଡ୍ ପ୍ରୋସେସିଂ, ଟେକ୍ନୋଲୋଜି ଓ ଇନୋଭେସନ୍, ଗ୍ରୀନ୍ ଇକୋନୋମି ଏବଂ ବ୍ଲୁ ଇକୋନୋମି ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି।