ନୂଆଦିଲ୍ଲୀ: ନିମ୍ନ ଅଦାଲତରେ ବିଚାରପତି ପାଇଁ ପ୍ରସ୍ତୁତି କରୁଥିବା ଯୁବ ଓକିଲଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ତିନି ବର୍ଷ ନୁହେଁ ମାତ୍ର ବର୍ଷକର ଓକିଲାତି ଅଭ୍ୟାସର ଅଭିଜ୍ଞତା ପରେ ଜଣେ ବିଚାରପତି ହୋଇପାରିବ । ଶୁକ୍ରବାର ସର୍ବୋଚ୍ଚ ଅଦାଲତ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ) ବା ପ୍ରବେଶ ସ୍ତରୀୟ ନ୍ୟାୟପାଳିକା ପରୀକ୍ଷା ପାଇଁ ବାଧ୍ୟତାମୂଳକ ଆଇନ ଅଭିଜ୍ଞତା (ଅଭ୍ୟାସ) ଆବଶ୍ୟକତାକୁ ୨୦୨୫ ମସିହାରେ ଦେଇଥିବାର ତାଙ୍କର ରାୟକୁ ସଂଶୋଧନ କରି ନୂତନ ରାୟ ପ୍ରକାଶ କରିଛନ୍ତି ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ୟ୍ୟକାନ୍ତ, ବିଚାରପତି ଏ.ଜି ମସୀହ ଏବଂ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ମାମଲାର ପୁନର୍ବିଚାର କରି ୨-୧ ବହୁମତରେ ପୁରୁଣା ରାୟକୁ ଖାରଜ କରି ସଂଶୋଧିତ ପ୍ରକାଶ କରିଛନ୍ତି । ପୂର୍ବରାୟରେ ତିନି ବର୍ଷର ଓକିଲାତି ଅଭିଜ୍ଞତା ପରେ ବିଚାରପତି ହୋଇପାରିବା ନେଇ ରାୟ ପ୍ରକାଶ ପାଇଥିଲା । ଯାହାକୁ ଏକ ବର୍ଷକୁ ହ୍ରାସ କରାଯାଇଛି । ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ୧ ଅପ୍ରେଲ, ୨୦୨୭ରୁ ସମ୍ପୂର୍ଣ୍ଣଭାବେ ଲାଗୁ ହେବ । ଅର୍ଥାତ୍ ଅପ୍ରେଲ ପହିଲା ପରେ ବିଚାରପତି ପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇବ ସେଥିରେ ଏହି ନୂତନ ନିୟମ ଲାଗୁ ହେବ । ତଥାପି ୨୫ ମଇ, ୨୦୨୫ ଏବଂ ୩୧ ମାର୍ଚ୍ଚ, ୨୦୨୭ ମଧ୍ୟରେ ଅଧିସୂଚିତ ସମସ୍ତ ନ୍ୟାୟିକ ପରୀକ୍ଷା ପାଇଁ କୌଣସି ପୂର୍ବ ଅଭିଜ୍ଞତା ନ ଥିବା ପ୍ରାର୍ଥୀଙ୍କ ପାଇଁ ଏହି ନିୟମକୁ କୋହଳ କରାଯାଇଛି । ପୂର୍ବ ଅଭିଜ୍ଞତା ନଥିବା ପ୍ରାର୍ଥୀମାନେ ଏହି ସମୟ ମଧ୍ୟରେ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ । କିନ୍ତୁ ଏଥିପାଇଁ କିଛିଟା ନିୟମ ମଧ୍ୟ ରହିଛି । ବିନା ଅଭିଜ୍ଞତାରେ ପ୍ରତ୍ୟକ୍ଷ ବିଚାରପତି ନିଯୁକ୍ତି ମିଳିବ ନାହିଁ । ଏଥିପାଇଁ ପ୍ରଥମେ ଏକ ବର୍ଷର ଓକିଲାତି ଅଭ୍ୟାସ ଏବଂ ଏକ ବର୍ଷ ପାଇଁ ଟ୍ରେନି ଜୁଡିସିଆଲ୍ ଅଫିସର ଭାବେ କାମ କରିବାକୁ ପଡ଼ିବ । ଜଣେ ବିଚାରପତି ହେବା ପରେ ୧ ବର୍ଷ ପର୍ୟ୍ୟନ୍ତ ଜୁଡ଼ିସିଆଲ୍ ଅଫିସର ଭାବେ ତାଲିମ ଗ୍ରହଣ କରିବେ । ଏଥିପାଇଁ ତାଙ୍କୁ ପୂର୍ଣ୍ଣ ଦରମା ପ୍ରଦାନ କରାଯିବ ନାହିଁ । ସ୍କଲାର୍ସିପ୍ ଭାବେ ସେ ନିଜର ଦରମା ପାଇବେ ।
ଏହା ଉଲ୍ଲେଖନୀୟ ଯେ ୨୦ ମେ ୨୦୨୫ ରେ, ସୁପ୍ରିମକୋର୍ଟ ନୂତନ ଆଇନ ସ୍ନାତକମାନଙ୍କୁ ସିଧାସଳଖ ବିଚାରପତି ହେବାର ଅନୁମତି ଦେବା ପାଇଁ ପରୀକ୍ଷା ଉପରେ ସ୍ଥଗିତ କରିଦେଇଥିଲେ । ସର୍ବନିମ୍ନ ତିନି ବର୍ଷର ଆଇନ ଅଭ୍ୟାସକୁ ବାଧ୍ୟତାମୂଳକ କରିଥିଲେ। ଯାହାକୁ ନେଇ ଆଶାୟୀମାନେ ନିରାଶ ହୋଇଥିଲେ । ପରବର୍ତ୍ତୀ ସମୟରେ, ଜୁଲାଇ ୨୦୨୫ ରେ, କୋର୍ଟ ସେହି ନିଷ୍ପତ୍ତି ବିରୁଦ୍ଧରେ ଦାଖଲ ହୋଇଥିବା ସମୀକ୍ଷା ଆବେଦନ ଉପରେ ତାଙ୍କର ରାୟ ସଂରକ୍ଷିତ ରଖିଥିଲେ। ବର୍ତ୍ତମାନ, ସମୀକ୍ଷା ଆବେଦନଗୁଡ଼ିକର ଶୁଣାଣି କରିବା ସମୟରେ, କୋର୍ଟ ବାଧ୍ୟତାମୂଳକ ଅଭ୍ୟାସ ଅବଧିକୁ ତିନି ବର୍ଷରୁ ଏକ ବର୍ଷକୁ ହ୍ରାସ କରିଛନ୍ତି ଏବଂ ମଧ୍ୟବର୍ତ୍ତୀକାଳୀନ ଅବଧି ପାଇଁ ସ୍ୱତନ୍ତ୍ର ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।