ଦିଲ୍ଲୀର ଜନ୍ତର-ମନ୍ତରରେ ଆଉ ଥରେ ବଡ଼ ପ୍ରଦର୍ଶନ ହେଉଛି। ଏଥର ବିପୁଳ ସଂଖ୍ୟାରେ ଅଣ-ସଂରକ୍ଷିତ ବର୍ଗର ଆନ୍ଦୋଳନକାରୀ ଏକାଠି ହୋଇଛନ୍ତି। ସବର୍ଣ୍ଣ ଜାତିରୁ ଆସିଥିବା ଏହି ଆନ୍ଦୋଳନକାରୀମାନେ UGC ର ଇକ୍ୱିଟି ନିୟମକୁ ବିରୋଧ କରିଛନ୍ତି। ଏହାସହ ଜାତି-ଆଧାରିତ ସଂରକ୍ଷଣରେ ସଂସ୍କାର ଆଣିବାକୁ ଦାବି କରିଛନ୍ତି। ‘ରିଜର୍ଭେସନ୍ ରିଫର୍ମ ଆନ୍ଦୋଳନ’ ବ୍ୟାନର ତଳେ ହୋଇଥିବା ଏହି ବିରୋଧ-ପ୍ରଦର୍ଶନରେ ରାଜସ୍ଥାନର ‘ଜେନେରାଲ୍ ସେନା’ ଏବଂ ‘ଚାଣକ୍ୟ ସେନା’ ସହିତ ‘କରଣୀ ସେନା’ ମଧ୍ୟ ସାମିଲ ହୋଇଥିଲା।
ପ୍ରଦର୍ଶନର ଅନୁମତିକୁ ନେଇ ଦ୍ୱନ୍ଦ୍ୱ ଥିବା ସତ୍ତ୍ୱେ ଏହି ଆୟୋଜନ ହୋଇଛି। ଆନ୍ଦୋଳନକାରୀମାନେ ହନୁମାନ ଚାଳିଶା ପାଠ କରିଥିଲେ ଏବଂ ଧାର୍ମିକ ନାରା ମଧ୍ୟ ଦେଇଥିଲେ। କିଛି ଆନ୍ଦୋଳନକାରୀ SC/ST ଆକ୍ଟକୁ ବିରୋଧ କରିଥିଲେ ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ସେମାନେ କହିଥିଲେ ଯେ କାହା ବିରୋଧରେ ଆଇନର ଅପବ୍ୟବହାର ହେବା ଉଚିତ୍ ନୁହେଁ। ଏହାସହ ଏପରି ଅପବ୍ୟବହାରକୁ ରୋକିବା ପାଇଁ ସରକାର ଜରୁରୀ ପଦକ୍ଷେପ ନେବାକୁ ଦାବି କରିଥିଲେ।
ହଜାର ହଜାର ଲୋକ ପ୍ରଦର୍ଶନରେ ସାମିଲ ହେଲେ
ଆନ୍ଦୋଳନକାରୀଙ୍କ ଦାବି ଅନୁଯାୟୀ, ହଜାର ହଜାର ଲୋକ ଏଥିରେ ସାମିଲ ହୋଇଥିଲେ। ଦିଲ୍ଲୀ ପୋଲିସ ଦ୍ୱାରା କରାଯାଇଥିବା କଡ଼ା ସୁରକ୍ଷା ଓ କଟକଣା ମଧ୍ୟରେ ଏହି ପ୍ରଦର୍ଶନ ହୋଇଛି। ଜନ୍ତର-ମନ୍ତରର ଚାରିପାଖରେ ବ୍ୟାରିକେଡ୍ ଲଗାଯାଇଥିଲା। ଦିଲ୍ଲୀ ପୋଲିସ, ରାପିଡ୍ ଆକ୍ସନ୍ ଫୋର୍ସ (RAF) ଏବଂ ITBP ଜବାନଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଥିଲା। ପ୍ରଦର୍ଶନକୁ ନେଇ କେତେକ ସୋସିଆଲ ମିଡିଆ ହ୍ୟାଣ୍ଡେଲ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରଦର୍ଶନରେ ଲୋକଙ୍କ ଭାଗୀଦାରୀ ସେହି ଚର୍ଚ୍ଚାକୁ ଭୁଲ୍ ପ୍ରମାଣିତ କରିଛି ଯେ ଏପରି ପ୍ରଦର୍ଶନରେ ବେଶୀ ଲୋକ ଏକାଠି ହୁଅନ୍ତି ନାହିଁ।