ପୁରୀ : ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ ଭିତରେ ରକ୍ଷା ବନ୍ଧନର ବିଶେଷ ମହତ୍ତ୍ବ ରହିଛି । ଆଉ ଏହି ଉତ୍ସବ ପାଇଁ ମହାପ୍ରଭୁଙ୍କ ରାକ୍ଷୀ ପ୍ରସ୍ତୁତ କରି ବେଶ ଉତ୍ସାହିତ ଅନୁଭବ କରିଥାନ୍ତି ପାଟରା ସେବାୟତ । ଚଳିତବର୍ଷ ଶୁକ୍ରବାର ଦିନ ଶ୍ରୀମନ୍ଦିରରେ ପାଳିତ ହେବ ରାକ୍ଷୀପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବାୟତ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ତିଆରି ଚାଲିଛି ୪ଟି ରଙ୍ଗର ରାକ୍ଷୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହଳଦିଆ, ନାଲିରଙ୍ଗର ରାକ୍ଷୀ ଓ ଗୁଆମାଳ ଲାଗି କରାଯିବ । ସେହିପରି ବଡଠାକୁର ବଳଭଦ୍ରଙ୍କୁ ସବୁଜ ଓ ବାଇଗଣି ରଙ୍ଗର ରାକ୍ଷୀ ଓ ଗୁଆମାଳ ଲାଗି କରାଯିବ । ପାଟରା ବିଷୋୟୀ ସେବକ ବେଶ ନିଷ୍ଠାର ସହ ଏହି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ତେବେ ଏହି ରାକ୍ଷୀ ସହିତ ଚାରିଗୋଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ୫୪ ଟି ଗୁଆରେ ପ୍ରସ୍ତୁତ ଏହି ଗୁଆମାଳ ରକ୍ଷାବନ୍ଧନ ଅବସରରେ ଲାଗି କରାଯିବାର ପରମ୍ପରା ରହିଛି ।ଏହାଛଡ଼ା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିଥାନ୍ତି ପାଟରା ବିଷୋୟୀ ସେବାୟତ ।
ପରମ୍ପରା ଅନୁସାରେ ପୂର୍ଣ୍ଣିମା ଦିନ ପ୍ରସ୍ତୁତ ଏହି ରାକ୍ଷୀ ଶ୍ରୀମନ୍ଦିର ଗାରଦରେ ଦିଆଯିବା ପରେ ସିଂହାରୀ ସେବାୟତମାନେ ଏହାକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି ।
ତେବେ ରାକ୍ଷୀପୂର୍ଣ୍ଣିମା ଦିନ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିନ ଥିବାରୁ ଶ୍ରୀ ଶ୍ରୀମନ୍ଦିରରେ ବିଶେଷ ନୀତି ଆୟୋଜନ କରାଯାଇଛି।