ନୂଆଦିଲ୍ଲୀ: ଭାରତର ଯୁବପିଢ଼ିଙ୍କୁ ନେଇ NITI Aayog ପକ୍ଷରୁ ପ୍ରକାଶିତ ଏକ ସମ୍ପ୍ରତି ରିପୋର୍ଟରୁ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ୧୫ ରୁ ୨୯ ବର୍ଷ ବୟସର ପ୍ରାୟ ୮.୭ କୋଟି ଯୁବକ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇ ପଡ଼ିଛନ୍ତି, ଯେଉଁମାନେ ନା ପାଠ ପଢୁଛନ୍ତି, ନା କୌଣସି ରୋଜଗାର କରୁଛନ୍ତି, ନା କୌଣସି ପ୍ରକାରର କୌଶଳ ପ୍ରଶିକ୍ଷଣ ନେଉଛନ୍ତି। ଏହିଭଳି ଯୁବକମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ 'ନିଟ୍' (NEET - Not in Education, Employment and Training) ଶ୍ରେଣୀଭୁକ୍ତ କରାଯାଇଛି, ଯାହା ୨୦୨୧ ର ରାଷ୍ଟ୍ରୀୟ ନମୂନା ସର୍ଭେକ୍ଷେଣ (NSS) ତଥ୍ୟ ଉପରେ ଆଧାରିତ।
ଏହି ରିପୋର୍ଟ ଅନୁସାରେ, ଦେଶରେ କେବଳ ୮.୨୫ ପ୍ରତିଶତ ସ୍ନାତକ ଯୁବକ ହିଁ ନିଜ ଶିକ୍ଷା ଓ ଯୋଗ୍ୟତା ଅନୁସାରେ ଚାକିରି ପାଇବାରେ ସଫଳ ହେଉଛନ୍ତି। ଗରିବ ଓ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀମାନେ ପୂର୍ବ ପାଠପଢ଼ାର ଖର୍ଚ୍ଚ ଓ ଆର୍ଥିକ ଅନାଟନ ଯୋଗୁଁ ଅଧିକ ଫି ଦେଇ କୌଶଳ ପ୍ରଶିକ୍ଷଣ ନେଇପାରୁ ନାହାନ୍ତି। ଫଳରେ ଗ୍ରାଜୁଏସନ୍ ଶେଷ କରିବା ପରେ ବି ଅନେକ ଯୁବକ ସାଧାରଣ ବେତନର ରୋଜଗାରଟିଏ ପାଇବାରୁ ବଞ୍ଚିତ ହେଉଛନ୍ତି।
କୌଶଳ ବିକାଶ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ନୀତି ଆୟୋଗ ଦେଶର କାର୍ଯ୍ୟବଳକୁ ୫ଟି ମୁଖ୍ୟ ଶ୍ରେଣୀରେ (ପ୍ରାଥମିକ ଶିକ୍ଷାର୍ଥୀ, ଉଚ୍ଚ ଶିକ୍ଷାର୍ଥୀ, ପେଶାଦାର/ଅଣପେଶାଦାର, 'ନିଟ୍' ଯୁବବର୍ଗ, ଓ ପାଠ ସହ ରୋଜଗାର କରୁଥିବା ବ୍ୟକ୍ତି) ବିଭାଜିତ କରିଛନ୍ତି। ଏହି ସ୍ଥିତିରୁ ବାହାରିବା ପାଇଁ ଆୟୋଗ ସୁପାରିଶ କରିଛନ୍ତି ଯେ, ଆର୍ଥିକ ଅନାଟନରେ ଥିବା ଯୁବକ ଓ ମହିଳାଙ୍କୁ ସ୍ୱଳ୍ପ ମୂଲ୍ୟ କିମ୍ବା ସବସିଡି ମାଧ୍ୟମରେ ତାଲିମ ଦିଆଯାଉ, ସ୍ଥାନୀୟ ବଜାର ଚାହିଦା ଅନୁସାରେ ସ୍ୱରୋଜଗାର ସୁଯୋଗ ସୃଷ୍ଟି କରାଯାଉ ଏବଂ ସମସ୍ତଙ୍କ ପାଇଁ 'ଶିଖିବା ସହ ରୋଜଗାର'ର ବ୍ୟବସ୍ଥା କରାଯାଉ।