ନବରଙ୍ଗପୁର: ଲଗାଣ ବର୍ଷାରେ ନବରଙ୍ଗପୁର ସହରର ସ୍ଥିତି ବେହାଲ ହୋଇପଡ଼ିଛି। ରାତିସାରା ପ୍ରବଳ ବର୍ଷା ପରେ ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ସହରର ବିଭିନ୍ନ ୱାର୍ଡ ଓ ଗଳିକନ୍ଦିର ଅନେକ ଅଞ୍ଚଳରେ ଘର ଭିତରକୁ ପାଣି ପଶିଯାଇଛି।
ସବୁଠୁ ଗମ୍ଭୀର ସ୍ଥିତି ଦେଖାଯାଇଛି ହୋଟେଲ ମନୀଷା ନିକଟ NH-26 ଉପରେ। ପୌରପାଳିକା କାର୍ଯ୍ୟାଳୟଠାରୁ ମାତ୍ର ୫୦ ମିଟର ଦୂରରେ ପ୍ରାୟ ୨ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେବାରୁ ନବରଙ୍ଗପୁର–ଜୟପୁର ଯାତାୟାତ ବ୍ୟାହତ ହୋଇଛି। ଅନେକ ଗାଡ଼ି ପାଣି ଭିତରେ ସଂଘର୍ଷ କରି ଚଳାଚଳ କରୁଥିବା ବେଳେ ସ୍ଥାନୀୟ ଲୋକେ ଚାଲିଚାଲି ଯିବାକୁ ବାଧ୍ୟ ହୋଇଛନ୍ତି।
ଜଳ ନିଷ୍କାସନ ବ୍ୟବସ୍ଥାର ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି। ମୌସୁମୀ ବର୍ଷା ପୂର୍ବରୁ ମୁଖ୍ୟ ନାଳ ସଫେଇ ଠିକ୍ଭାବେ ହୋଇନଥିବାରୁ ପ୍ରତିବର୍ଷ ଏଭଳି ଜଳବନ୍ଦୀ ସ୍ଥିତି ସୃଷ୍ଟି ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇଛନ୍ତି।
ଏହାର ପ୍ରଭାବ କେବଳ ସହରରେ ସୀମିତ ରହିନାହିଁ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହଜାର ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ିଯାଇଥିବାରୁ ଚାଷୀଙ୍କ ମଧ୍ୟରେ ଫସଲ କ୍ଷୟକ୍ଷତି ନେଇ ଚିନ୍ତା ବଢ଼ିଛି।
ସେପଟେ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଲଗାତାର ୪୮ ଘଣ୍ଟା ବର୍ଷା, ଇନ୍ଦ୍ରାବତୀ ଓ ଫୁଲଝୋଡ଼ି ନଦୀର ଜଳସ୍ତର ବଢ଼ିବା ସହ ହିଲିଡଙ୍ଗରି ପାହାଡ଼ରୁ ପ୍ରବଳ ବେଗରେ ପାଣି ଆସୁଥିବାରୁ ଜଳ ନିଷ୍କାସନରେ ବିଳମ୍ବ ହେଉଥିବା ସେ କହିଛନ୍ତି। ତେବେ ଜମା ପାଣି ଶୀଘ୍ର ବାହାର କରିବାକୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।