ପିଟିଆଇ ଅନୁଯାୟୀ, ଲାଇନ୍ ଅଫ୍ ଏକ୍ଚୁଆଲ୍ କଣ୍ଟ୍ରୋଲରେ ଉତ୍ତେଜନା ହ୍ରାସ କରିବା ଏବଂ ସାମରିକ ମୁହାଁମୁହିଁ ସ୍ଥିତିକୁ ଏଡ଼ାଇବା ପାଇଁ ଦୁଇ ଦେଶ ଚେଷ୍ଟା କରୁଥିବା ବେଳେ ଏହି ଆଲୋଚନା ହେଉଛି। ଜୁନ୍ ୨୦୨୦ ଗଲୱାନ୍ ଘାଟିର ହିଂସାତ୍ମକ ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇପଡ଼ିଥିଲା ଏବଂ ପୂର୍ବ ଲଦାଖରେ ବହୁ ସଂଖ୍ୟାରେ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ କରାଯାଇଥିଲା।
LACରେ ଉତ୍ତେଜନା ହ୍ରାସ ଉପରେ ଫୋକସ୍
ଗତ କିଛି ବର୍ଷ ହେବ ଦୁଇ ଦେଶ ମଧ୍ୟରେ ସାମରିକ ଓ କୂଟନୈତିକ ସ୍ତରରେ ଏକାଧିକ ପର୍ଯ୍ୟାୟ ଆଲୋଚନା ହୋଇସାରିଛି। ସୀମାରୁ ସୈନ୍ୟ ପ୍ରତ୍ୟାହାର ଏବଂ ସୀମାଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଏହି ବୈଠକଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍ସ ମେକାନିଜମ୍ ହେଉଛି ସୀମା ବିବାଦର ରାଜନୈତିକ ସମାଧାନ ବାହାର କରିବା ପାଇଁ ଭାରତ ଓ ଚୀନ୍ ମଧ୍ୟରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। କେବଳ ସାମରିକ ଉତ୍ତେଜନା କମାଇବା ନୁହେଁ, ବରଂ ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ବାଟ କାଢ଼ିବା ଏହାର ମୁଖ୍ୟ ଲକ୍ଷ୍ୟ। ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚୀନ୍ର ସାମରିକ କାର୍ଯ୍ୟକଳାପ ବୃଦ୍ଧି ନେଇ ଚୀନ୍ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଗୁଓ ଜିଆକୁନ୍ କହିଛନ୍ତି ଯେ ସୀମା ସ୍ଥିତି ବର୍ତ୍ତମାନ ସାଧାରଣ ଓ ସ୍ଥିର ରହିଛି।
ଅରୁଣାଚଳ ଉପରେ ଚୀନ୍ ଦାବିକୁ ଖାରଜ କଲା ଭାରତ
ଦୁଇ ଦେଶ କୂଟନୈତିକ ଓ ସାମରିକ ମାଧ୍ୟମରେ ଆଲୋଚନା ଜାରି ରଖିବାକୁ ସମ୍ମତ ହୋଇଛନ୍ତି। ଅପରପକ୍ଷରେ, ଭାରତୀୟ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୈସୱାଲ କହିଛନ୍ତି ଯେ, LACରେ ଶାନ୍ତି ବଜାୟ ରଖିବା ସବୁଠାରୁ ଜରୁରୀ, କାରଣ ସୀମାର ପରିସ୍ଥିତି ହିଁ ଦୁଇ ଦେଶର ଭବିଷ୍ୟତ ସମ୍ପର୍କ ସ୍ଥିର କରିବ।
ଏହା ପୂର୍ବରୁ ଅରୁଣାଚଳ ପ୍ରଦେଶର ୨୭ଟି ସ୍ଥାନର ନାମ ବଦଳାଇବା ପାଇଁ ଚୀନ୍ ଚେଷ୍ଟାକୁ ଭାରତ ଶକ୍ତ ବିରୋଧ କରିଥିଲା। ଅରୁଣାଚଳ ପ୍ରଦେଶ ସଦାସର୍ବଦା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିସାରିଛି।
ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ?
ଡୋଭାଲ ଏବଂ ୱାଙ୍ଗଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରେ LACରେ ଶାନ୍ତି, ସୈନ୍ୟ ମୋତାୟନ, ବୋର୍ଡର ମ୍ୟାନେଜମେଣ୍ଟ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସୁଧାର ଉପରେ ଗୁରୁତ୍ୱ ଦିଆଯିବ।
ଭାରତ ସଦାସର୍ବଦା ସୀମାରେ ଶାନ୍ତିକୁ ପ୍ରାଥମିକତା ଦେଇଆସିଛି। ଏହି ଗସ୍ତ କେବଳ ସାମରିକ ସ୍ତରର ମୁହାଁମୁହିଁ ସ୍ଥିତିକୁ କମ୍ କରିବ ନାହିଁ, ବରଂ ଦୀର୍ଘମିଆଦୀ ରାଜନୈତିକ ସମାଧାନ ପାଇଁ ନୂଆ ରାସ୍ତା ଖୋଲିବ।