କେନ୍ଦୁଝର : କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଘୁଟୁରୁରେ ଚାଞ୍ଚଲ୍ୟକର ଘଟଣା । ଦୋକାନ ଭିତରୁ ଉଦ୍ଧାର ହେଲା ମାଲିକାଣୀଙ୍କ ମୃତଦେହ ।ସ୍ବାମୀ ନାଁରେ ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପଘର ଲୋକେ। ମୃତଦେହ ଉଦ୍ଧାର ବେଳେ ସ୍ବାମୀକୁ ଘେରି ଯାଇ ପିଟିଲେ ଲୋକେ। ମୃତ ମହିଳାଙ୍କ ନାମ ଅର୍ଚ୍ଚନା ପରିଡ଼ା। ତାଙ୍କର ଅର୍ଚ୍ଚନା ଟ୍ରେଡର୍ସ ନାମରେ ଏକ ଦୋକାନ ରହିଛି। ଯେଉଁ ଦୋକାନ ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ଅନୁଯାୟୀ ଆଜି ସକାଳେ ଅର୍ଚ୍ଚନାଙ୍କ ସ୍ୱାମୀ ଅଭିମନ୍ୟୁ ପରିଡ଼ା ଥାନାରେ ଖବର ଦେଇଥିଲେ ଯେ, ଦୋକାନ ଭିତରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ସୂଚନା ପାଇ ପୋଲିସ ଓ ଫୋରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମାଲିକାଣୀ ଅର୍ଚ୍ଚନା ବାରିକଙ୍କ ଘର ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ। ସେ ୨୦୧୪ ମସିହାରେ ହାଣ୍ଡିଭଙ୍ଗା ଅଞ୍ଚଳର ଅଭିମନ୍ୟୁ ପରିଡ଼ାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡ଼ିଛି । ଘୁଟୁରୁରେ ଅର୍ଚ୍ଚନା ଟ୍ରେଡର୍ସ ଓ ଶୁଭ ମଟର୍ସ ନାମରେ ସେମାନଙ୍କର ବ୍ୟବସାୟ ରହିଛି । ତେବେ ଅର୍ଚ୍ଚନାଙ୍କ ପରିବାର ପକ୍ଷରୁ ଆସିଛି ଗୁରୁତର ଅଭିଯୋଗ । ପରିବାରଲୋକଙ୍କ କହିବା ଅନୁସାରେ, ଅଭିମନ୍ୟୁ ନିୟମିତ ମଦ୍ୟପାନ କରି ଅର୍ଚ୍ଚନାଙ୍କୁ ମାରପିଟ କରୁଥିଲେ । ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ ।
ଅର୍ଚ୍ଚନା ଓ ଅଭିମନ୍ୟୁ ବଣିଆପାଟ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ । ତେବେ ଅର୍ଚ୍ଚନାଙ୍କୁ ସେଠାରେ ହତ୍ୟା କରି ତାଙ୍କ ମୃତଦେହ ଅର୍ଚ୍ଚନା ଟ୍ରେଡର୍ସ ଭିତରେ ଆଣି ରଖାଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିବା ନେଇ ମଧ୍ୟ ସୂଚନା ରହିଛି । କିନ୍ତୁ ଏହି ନୋଟ୍ରେ ସ୍ୱାମୀଙ୍କୁ ଦାୟୀ ନ କରିବାକୁ ଲେଖାଯାଇଛି ହେଲେ ଏନେଇ ପରିବାର ପକ୍ଷରୁ ଆପତ୍ତି ଉଠାଯାଇଛି । ସୁଇସାଇଡ୍ ନୋଟ୍ ଟି ଅର୍ଚ୍ଚନା ନିଜେ ଲେଖିନାହାନ୍ତି, ବରଂ ତାଙ୍କୁ ହତ୍ୟା କରିବା ପରେ ତାଙ୍କ ସ୍ୱାମୀ ଏହା ଲେଖିଥିବା ପରିବାର ପକ୍ଷରୁ ସନ୍ଦେହ କରାଯାଇଛି। ଅର୍ଚ୍ଚନାଙ୍କ ମୁଣ୍ଡରେ ଗଭୀର ଆଘାତ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ନେଇ ମଧ୍ୟ ପରିବାର ପକ୍ଷରୁ ଦାବି କରାଯାଇଛି । ଏହାକୁ ନେଇ ହତ୍ୟା ସନ୍ଦେହ ଆହୁରି ଘନୀଭୂତ ହୋଇଛି ଓ ହାତ୍ୟାକାରୀ ସ୍ୱାମୀ କୁ କୋଠର ଦଣ୍ଡ ଦେବାକୁ ଦାବି କରିଛନ୍ତି ।
ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି । ପୋଲିସ ସ୍ୱାମୀ ଅଭିମନ୍ୟୁକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।