ଫୁଲବାଣୀ: ବ୍ରହ୍ମଲୀନ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଦିବସକୁ ଆଜି କନ୍ଧମାଳରେ ‘ବଳିଦାନ ଦିବସ’ ଭାବେ ପାଳନ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ, ସ୍ୱାମୀ ଲକ୍ଷ୍ମଣାନନ୍ଦ ଶ୍ରଦ୍ଧାଞ୍ଜଳି ସମିତି ଓ ବିଭିନ୍ନ ସଂଗଠନର ଆହ୍ୱାନରେ ଫୁଲବାଣୀ ଓ ବାଲିଗୁଡ଼ାରେ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଫୁଲବାଣୀ ସର୍କିଟ ହାଉସରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ବି-ଟିମ୍ ପଡ଼ିଆରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ସନ୍ଥ, ସାଧୁ, ସଂଗଠନର କର୍ମକର୍ତ୍ତା ଓ ହଜାର ହଜାର ଅନୁଗାମୀ ଏହି ସମାଗମରେ ଯୋଗ ଦେଇଥିଲେ।
ସଭାରେ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ, ମହେଶ ବାବା, ସୁଦୟା ଆବା, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବିଧାୟକ ଉମାଚରଣ ମଲ୍ଲିକ ଓ ଅନ୍ୟାନ୍ୟ ବକ୍ତା ସ୍ୱାମୀଜୀଙ୍କ ଜୀବନ, ଆଦିବାସୀ ଓ ବନବାସୀଙ୍କ ଶିକ୍ଷା, କୃଷି ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ମରଣ କରିଥିଲେ।
ଏହି ଅବସରରେ କନ୍ଧମାଳ ମେଡିକାଲ କଲେଜର ନାମକରଣ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ ବକ୍ତାମାନେ।
ଉଲ୍ଲେଖଯୋଗ୍ୟ, ୨୦୦୮ ମସିହା ଅଗଷ୍ଟ ୨୩, ଜନ୍ମାଷ୍ଟମୀ ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସେହି ଦିନକୁ ପ୍ରତିବର୍ଷ ବଳିଦାନ ଦିବସ ଭାବେ ପାଳନ କରାଯାଉଛି। କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସାରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।