ଭୁବନେଶ୍ୱର : ଗିରଫ ହେବେ ପୂର୍ବତନ ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର ଦାସ । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ହେବା ପରେ ସେ ଏବେ ଫେରାର ଅଛନ୍ତି । ସୁଜିତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି କ୍ରାଇମବ୍ରାଞ୍ଚ ସିଡବ୍ଲୁ୍ୟସି ଟିମ୍ । ଆଗୁଆ ଜାମିନ ଖାରଜ କରିବା ସହ ତଳ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ନେଇ ସୁଜିତଙ୍କୁ ନିଲମ୍ବନ କରାଯାଇଥିଲା । ଏହାପରେ ଶରଣକୁଳ ଥାନାରେ ଦୁଷ୍କର୍ମ ମାମଲା ରୁଜୁ କରାଯିବା ସହ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଏହି ମାମଲା କ୍ରାଇମବ୍ରାଞ୍ଚ୍ର CAW କୁ ହସ୍ତାନ୍ତର ହୋଇଥିଲା।
ମାମଲାରେ କ୍ରାଇମବ୍ରାଞ୍ଚ୍ ତଦନ୍ତ କରିବା ବେଳେ ସୁଜିତଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ପାଇବା ସହ ପ୍ରାଥମିକ ପ୍ରମାଣ ହାସଲ କରିଥିଲା । ଏହ ମଧ୍ୟରେ ଆଗୁଆ ଜାମିନ ଆବେଦନ କରିଥିବାରୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ୍ କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହୋଇଥିଲେ। ତଦନ୍ତ କାରୀ ସଂସ୍ଥା ସୁଜିତଙ୍କ ଡାକ୍ତରୀ ମାଇନା କରିବା ସହ ତାଙ୍କ ଷ୍ଟେଟମେଣ୍ଟ ରେକର୍ଡ ବି କରିଥିଲା । ତେବେ ଅନ୍ତରୀଣ ସୁରକ୍ଷା ହଟାଇବା ପାଇଁ କ୍ରାଇମବ୍ରାଞ୍ଚ୍ କୋର୍ଟଙ୍କୁ ଅନୁରୋଧ କରିବା ସହ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିଥିଲା । ସମସ୍ତ ତଥ୍ୟ ପ୍ରମାଣ ସହ ଗତ ୨୦ ତାରିଖ ଦିନ ଏହି ମାମଲାର ଶୁଣାଣି କରିବା ସହ ସୁଜିତ କୁମାର ଦାସଙ୍କ ଅନ୍ତରୀଣ ସୁରକ୍ଷା ହାଇକୋର୍ଟ ହଟାଇ ଦେଇଛନ୍ତି । ତେବେ ଗିରଫଦାରୀ ଭୟରେ ସୁଜିତ୍ ଫେରାର ହୋଇଯାଇଥିବା ଜଣାପଡିଛି ।