ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ନଦୀର ଦ୍ୱିତୀୟ ଥର ବନ୍ୟା ଯୋଗୁଁ ଜଳେଶ୍ୱର ଓ ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଚାଷଜମି, ରାସ୍ତାଘାଟ ସମେତ ବିଭିନ୍ନ କ୍ଷେତ୍ରରେ ବ୍ୟାପୟ କ୍ଷୟକ୍ଷତି ହୋଇଛି। ବନ୍ୟା ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତିର ଆକଳନ ପାଇଁ ଜଳେଶ୍ୱର ଓ ଭୋଗରାଇର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଓ ସ୍ଥାନୀୟ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।
ସୁବର୍ଣ୍ଣରେଖା ନଦୀରେ ଦ୍ୱିତୀୟ ଥର ବନ୍ୟା ଆସିବା ପରେ ଜଳେଶ୍ୱର ଓ ଭୋଗରାଇ ବ୍ଲକର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ପଞ୍ଚାୟତିରାଜ ମନ୍ତ୍ରୀ ଜଳେଶ୍ୱର ବ୍ଲକର ପଶ୍ଚିମବାଡ଼ ଓ ବାଇଗଣ ବାଡ଼ିଆ , ଭୋଗରାଇ ବ୍ଲକର କୁଳିଦା ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ମଧ୍ୟ ଯାଇ ସ୍ଥିତି ପରଖିଥିଲେ। ବନ୍ୟା ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା ବେଳେ ଚାଷ ନଷ୍ଟ, ରାସ୍ତାଘାଟର କ୍ଷୟକ୍ଷତି, ବନ୍ୟା ନିୟନ୍ତ୍ରଣ ଏବଂ ଭବିଷ୍ୟତରେ ସ୍ଥାୟୀ ପ୍ରତିକାର ନେଇ ଲୋକମାନେ ନିଜ ନିଜ ସମସ୍ୟା ମନ୍ତ୍ରୀଙ୍କ ସମ୍ମୁଖରେ ରଖିଥିଲେ।
ବନ୍ୟା ପାଣି ଯୋଗୁଁ ଚାଷଜମିରେ ଥିବା ଧାନ ତଳି ଓ ରୁଆ ଧାନ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହା ସହିତ ଅନେକ ସ୍ଥାନରେ ରାସ୍ତାଘାଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ପରେ ଚାଷୀଙ୍କ ଚିନ୍ତା ଏବେ ବଢ଼ିଛି । ଚାଷ ନଷ୍ଟ ହୋଇଥିବାରୁ ପୁଣି ଥରେ ଚାଷ କିପରି ଆରମ୍ଭ କରାଯିବ, ଚାଷୀଙ୍କୁ କିପରି ସହାୟତା ମିଳିବ, ସେନେଇ ପ୍ରଶ୍ନ ଉଠିଛି । ପଞ୍ଚାୟତିରାଜ ମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି। ବନ୍ୟାରେ କେଉଁ ଅଞ୍ଚଳରେ କେତେ କ୍ଷୟକ୍ଷତି ହୋଇଛି, ଚାଷୀମାନଙ୍କ ସମସ୍ୟା କ’ଣ ରହିଛି ଏବଂ ରାସ୍ତାଘାଟର କେତେ ପରିମାଣରେ କ୍ଷତି ହୋଇଛି, ସେସବୁ ନେଇ ଅଧିକାରୀଙ୍କଠାରୁ ତଥ୍ୟ ନେଇଛନ୍ତି ।
ବିଶେଷକରି ନଷ୍ଟ ହୋଇଥିବା ରାସ୍ତାଗୁଡ଼ିକର ତ୍ୱରିତ ମରାମତି ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଗାମୀ ଦିନରେ ଏଭଳି ସମସ୍ୟା ଯେପରି ନ ହୁଏ, ସେନେଇ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯାଇଛି।
ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ୱର ଜିଲ୍ଲାପାଳଙ୍କ ସମେତ ଡ୍ରେନେଜ୍, ଇରିଗେସନ୍ ଓ ପାନୀୟ ଜଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।