ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଓଡ଼ିଶାର ଦକ୍ଷିଣ–ପଶ୍ଚିମ ଜିଲ୍ଲାଗୁଡ଼ିକରେ ମୂଷଳଧାରା ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଭାରୀରୁ ଅତି ଭାରୀ ବର୍ଷା ରେକର୍ଡ ହୋଇଥିବା ସୂଚନା ଦେଇଛି SRC କାର୍ଯ୍ୟାଳୟ।
ସବୁଠାରୁ ଅଧିକ ବର୍ଷା କଳାହାଣ୍ଡିର ଥୁଆମୂଳ ରାମପୁରରେ ୩୪୫ ମି.ମି. ରେକର୍ଡ ହୋଇଛି। ସେହିପରି ରାୟଗଡ଼ାର ଗୁଣପୁରରେ ୨୬୦ ମି.ମି., କାଶୀପୁରରେ ୨୧୨ ମି.ମି. ଏବଂ ଜୟପାଟଣାରେ ୨୦୦ ମି.ମି. ବର୍ଷା ହୋଇଛି।
ଏପଟେ ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଉତ୍ତର–ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଜି ସକାଳ ୫:୩୦ରେ ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି। ଏହା ଉତ୍ତର ବଙ୍ଗୋପସାଗରରେ ପଶ୍ଚିମବଙ୍ଗ–ବାଂଲାଦେଶ ଉପକୂଳ ନିକଟରେ ଥିବା ଉପରି ବାୟୁ ଘୂର୍ଣ୍ଣିବଳୟର ପ୍ରଭାବରେ ସୃଷ୍ଟି ହୋଇଛି।
ପାଣିପାଗ ବିଭାଗ କହିଛି, ଲଘୁଚାପ ପ୍ରଭାବରେ ଆସନ୍ତା କିଛି ଦିନ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ଭାରୀ ବର୍ଷା ଜାରି ରହିପାରେ। ତେଣୁ ନଦୀ ଅବବାହିକା ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।