କଟକ : ପ୍ରାୟ ଦୁଇ ବର୍ଷ ଖାଲି ଛଡାଯିବା ପରେ କଟକ ଜିଲ୍ଲାର ୪୦ଟି ବାଲିଘାଟକୁ ନିଲାମ ପାଇଁ ଜିଲ୍ଲା ଖଣି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ଆବେଦନ କରିବାର ଶେଷ ସମୟ ହେଉଛି ସେପ୍ଟେମ୍ବର ୨୧ ତାରିଖ । ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୬ ତାରିଖ ମଧ୍ୟରେ ଟେଣ୍ଡର ଖୋଲାଯିବ । ଅକ୍ଟୋବର ୧୨ରୁ ୧୬ ତାରିଖ ମଧ୍ୟରେ ଇ-ଲଟେରୀ ଜରିଆରେ ଉପଯୁକ୍ତ ନିଲାମଧାରୀଙ୍କୁ ବଛାଯିବ । ତେବେ ଚଳିତ ଥର ପ୍ରଥମ ଥର ଲାଗି ବାଲିଘାଟଗୁଡିକ ନିଲାମ ଇ-ଲଟେରୀ ଜରିଆରେ ଆବଣ୍ଟନ କରାଯିବ ।
କଟକ ବଡ଼ମ୍ବାରେ ୩ଟି ବାଲିଘାଟ ରହିଥିଲା ବେଳେ କଟକ ସଦରରେ ୫ଟି ବାଲିଘାଟ, କଣ୍ଟାପଡ଼ା ତହସିଲ୍ ପାଇଁ ଗୋଟିଏ, କିଶୋରନଗର ଏବଂ ନିଶ୍ଚିନ୍ତକୋଇଲି ତହସିଲ୍ ପାଇଁ ସର୍ବାଧିକ ୯ଟି ଲେଖାଏଁ ବାଲିଘାଟ, ନରସିଂହପୁର ତହସିଲ୍ ରେ ୬ଟି, ତିଗିରିଆ ତହସିଲ୍ରେ ୨ଟି ପଥର ଖଣି, ଆଠଗଡ଼ରେ ଗୋଟିଏ ମୋରମ୍ ଖଣି, ଡମପଡ଼ାରେ ଗୋଟିଏ ମୋରମ ଖଣି, ଟାଙ୍ଗୀ-ଚୌଦ୍ୱାରରେ ମୋରମ୍ ଖଣିର ନିଲାମ ପାଇଁ ସ୍ଥିର ହୋଇଛି । ପ୍ରାୟ ପ୍ରତ୍ୟେକ ବାଲିଘାଟ ୧୨ ଏକର ପରିମିତ ଅଞ୍ଚଳରେ ଉପରେ ରହିଛି । ପ୍ରତ୍ୟେକ ବାଲିଘାଟରୁ ବାର୍ଷିକ ୫୦ ହଜାର ଘନଫୁଟ୍ରୁ ୯୫ ହଜାର ଘନଫୁଟ୍ ପର୍ଯ୍ୟନ୍ତ ବାଲି ଉଠିପାରିବ ବୋଲି ଧାର୍ଯ୍ୟ ହୋଇଛି । ପ୍ରତି ଘନମିଟର ପିଛା ୭୦ ଟଙ୍କା ଧାର୍ଯ୍ୟ କରାଯାଇଛି ।