ଜମ୍ମୁ-କାଶ୍ମୀରର ଶ୍ରୀନଗର ସେଣ୍ଟ୍ରାଲ ଜେଲରୁ ପୋଲିସ ଆଖିରେ ଧୂଳି ଦେଇ POCSO ଆକ୍ଟର ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ବିଭାଗରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ତୁରନ୍ତ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି। ଶ୍ରୀନଗର ପୋଲିସର ଜଣେ ବରିଷ୍ଠ ଅଧିକାରୀ ଏହି ଘଟଣାର ପୁଷ୍ଟି କରିଛନ୍ତି। କାଶ୍ମୀରରୁ ବାହାରକୁ ଯାଉଥିବା ସମସ୍ତ ରାସ୍ତା ଓ ସୀମାନ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।
ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, POCSO ର ଭିନ୍ନ ଭିନ୍ନ ମାମଲାରେ ଶ୍ରୀନଗର ସେଣ୍ଟ୍ରାଲ ଜେଲ୍ରେ ବନ୍ଦୀ ଥିବା ଦୁଇ ଅଭିଯୁକ୍ତ ଜେଲ୍ରୁ ଖସି ପଳାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ସାରା ରାଜ୍ୟରେ ସନ୍ଧାନୀ ନୋଟିସ୍ ଜାରି କରାଯାଇଛି। କାଶ୍ମୀର ଜୋନ୍ ପୋଲିସ ଦ୍ୱାରା X ରେ ସେୟାର କରାଯାଇଥିବା ସୂଚନା ଅନୁଯାୟୀ, ଅନନ୍ତ ନାଗର ସାଙ୍ଗଲନ୍ ଚିତ୍ତରଗୁଲ୍ର ନିବାସୀ ମହମ୍ମଦ ରଫିକ୍ ଗୁଜ୍ଜରଙ୍କ ପୁଅ ମୁଖତାର୍ ଅହମ୍ମଦ ଗୁଜ୍ଜର ସୌରା ପୋଲିସ ଷ୍ଟେସନରେ ରୁଜୁ ହୋଇଥିବା POCSO ମାମଲାରେ ଫେରାର ଅଛନ୍ତି।
ପୋଲିସର ଜନସାଧାରଣଙ୍କୁ ଅପିଲ୍
ନୋଟିସ୍ରେ କୁହାଯାଇଛି ଯେ, ଦ୍ୱିତୀୟ ଅଭିଯୁକ୍ତ ସଦନପୋରା ରେଗିସ୍ତାନର ଅବଦୁଲ୍ ଗନି ଖାନଙ୍କ ପୁଅ ଫରମାନ୍ ଖାନ୍, ଲାର୍ ପୋଲିସ ଷ୍ଟେସନରେ ରୁଜୁ ହୋଇଥିବା ଏଫଆଇଆରରେ ୱାଣ୍ଟେଡ୍ ଅଛନ୍ତି।
ପୋଲିସ ଜନସାଧାରଣଙ୍କୁ ଅପିଲ୍ କରିଛି ଯେ, ଏହି ଦୁଇ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ବି ସୂଚନା ମିଳିଲେ ତୁରନ୍ତ ପ୍ରଶାସନ ସହ ସେୟାର କରନ୍ତୁ, ଯାହାଦ୍ୱାରା ସେମାନଙ୍କୁ ଗିରଫ କରାଯାଇପାରିବ।
ସୂଚନା ଦେଲେ ମିଳିବ ପୁରସ୍କାର
ପୋଲିସ ସ୍ପଷ୍ଟ କରିଛି ଯେ, “ଅଭିଯୁକ୍ତମାନଙ୍କ ଗିରଫଦାରୀରେ ସାହାଯ୍ୟ କରୁଥିବା ସୂଚନାଦାତାଙ୍କୁ ଉଚିତ ପୁରସ୍କାର ଦିଆଯିବ।” ଯେଉଁମାନଙ୍କ ପାଖରେ ସେମାନଙ୍କ ଲୁଚିବା ସ୍ଥାନ ବିଷୟରେ ସୂଚନା ଅଛି, ସେମାନଙ୍କୁ ନିକଟସ୍ଥ ପୋଲିସ ଷ୍ଟେସନରେ ଯୋଗାଯୋଗ କରିବାକୁ କିମ୍ବା ୧୧୨ ନମ୍ବରରେ କଲ କରିବାକୁ କୁହାଯାଇଛି। ଘଟଣାର ଅଧିକ ତଦନ୍ତ ଏବଂ ଫରାର କଏଦୀଙ୍କୁ ଧରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଛି।