ଭୁବନେଶ୍ବର : ଆସନ୍ତାକାଲି ନବରଙ୍ଗପୁରରେ ସମସ୍ତ ସ୍କୁଲ କଲେଜ, ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ତେଣୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ନିମନ୍ତେ ନବରଙ୍ଗପୁର ଜିଲାର ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ସମସ୍ତ ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ଘରୋଇ ବିଦ୍ୟାଳୟଗୁଡ଼ିକୁ ଆସନ୍ତାକାଲି ବନ୍ଦ ରଖିବାକୁ ଜିଲ୍ଲାପାଳ ମହେଶ୍ବର ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଅନୁସାରେ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨୪ରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି, ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ତେବେ ସ୍କୁଲ ଏବଂ ଅଙ୍ଗନବାଡ଼ିରେ ଯଦିଓ ପାଠ ପଢ଼ା ଯିବ ନାହିଁ, କିନ୍ତୁ ପ୍ରଧାନଶିକ୍ଷକ/ଶିକ୍ଷକ ଏବଂ ଅଙ୍ଗନବାଡ଼ି କର୍ମଚାରୀମାନେ ନିଜ ନିଜ କର୍ମସ୍ଥଳରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ରହିଛି।