ବରଗଡ଼ : ଅମ୍ବାଭୋନା ପୁଲିସକୁ ମିଳିଛି ବଡ଼ ସଫଳତା। ପ୍ରକାଶପୁର ବସଷ୍ଟାଣ୍ଡ ଅଞ୍ଚଳରେ ବେଆଇନ ଭାବେ କଫ୍ ସିରପ୍ ବିକ୍ରି ହେଉଥିବା ନେଇ ଖବର ପାଇବା ପରେ ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବହୁ ପରିମାଣର କଫ୍ ସିରପ୍ ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ ଚିଚୋଲି ଗାଁର ଘନଶ୍ୟାମ ନାଏକ (୩୯) ଓ ପୁଗଳ କୁସମ (୫୮)ଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ୧୫୦ଟି ସିଲ୍ କଫ୍ ସିରପ୍ ବୋତଲ ଏବଂ ୧୨ଟି ଖୋଲା ବୋତଲ ଜବତ ହୋଇଛି। ଏଥିସହ ଏକ ହୋଣ୍ଡା ଆକ୍ଟିଭା, ମୋବାଇଲ ଫୋନ୍ ଓ ୩ ହଜାର ୫ ଶହ ଟଙ୍କା ନଗଦ ମଧ୍ୟ ପୁଲିସ ଜବତ କରିଛି।
ବେଆଇନ କଫ୍ ସିରପ୍ କାରବାର ନେଇ ଅମ୍ବାଭୋନା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜବତ କଫ୍ ସିରପ୍ କେଉଁଠାରୁ ଆସିଥିଲା ଏବଂ ଏହି କାରବାର ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ପୁଲିସ ଖୋଳତାଡ଼ କରୁଛି।
ଦୁଇ ଅଭିଯୁକ୍ତଙ୍କୁ ଆଇନଗତ ପ୍ରକ୍ରିୟା ପରେ କୋର୍ଟ ଚାଲାଣ କରାଯାଇଛି। ଅମ୍ବାଭୋନା ପୁଲିସର ଏହି ଚଢ଼ାଉ ପରେ ଅଞ୍ଚଳରେ ବେଆଇନ କଫ୍ ସିରପ୍ ଓ ନିଶା କାରବାର କରୁଥିବା ଲୋକଙ୍କ ମଧ୍ୟରେ ଛନକା ପଶିଛି।