ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦୁଇଟି ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ପୁଣେରେ ଏକ ଛାତ୍ର କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଦେଇଥିବା 'ପିତୃସତ୍ତାତ୍ମକ ମନୋଭାବ' ବକ୍ତବ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ସ୍ମୃତି କହିଛନ୍ତି ଯେ, ଯଦି ରାହୁଲ ପ୍ରକୃତରେ ମହିଳା ସଶକ୍ତୀକରଣ ଓ ମହିଳା ଅଧିକାରକୁ ନେଇ ଗମ୍ଭୀର, ତେବେ କେବଳ କଥାରେ ନୁହେଁ, କାମରେ କରି ଦେଖାନ୍ତୁ।
ସ୍ମୃତି ଇରାନୀଙ୍କ ଦୁଇଟି ବଡ଼ ଦାବି
୧. ମହିଳା ଆରକ୍ଷଣ ବିଲକୁ ସମର୍ଥନ
ସ୍ମୃତି ଇରାନୀ କହିଛନ୍ତି, "କଂଗ୍ରେସର ଜଣେ ବରିଷ୍ଠ ନେତା ମହିଳା ନେତୃତ୍ବ ସପକ୍ଷରେ କଥା ହେଉଥିବାରୁ ମୁଁ ତାଙ୍କୁ ନିବେଦନ କରୁଛି ଯେ, ସଂସଦ ଓ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆରକ୍ଷଣ ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ସେ ଏବଂ ତାଙ୍କ ଦଳ ପୂର୍ଣ୍ଣ ସମର୍ଥନ କରନ୍ତୁ।"
୨. ପୂର୍ଣ୍ଣ 'ବନ୍ଦେ ମାତରମ୍' ଗାନ
କଂଗ୍ରେସ ମୁଖ୍ୟାଳୟରେ ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍'ର ସମସ୍ତ ପଦ ଗାନ କରାଯାଉ, ଯେଉଁଥିରେ ମା' ଦୁର୍ଗାଙ୍କ ଆବାହନ କରାଯାଇଛି।
ମା' ଦୁର୍ଗା ଶକ୍ତିର ରୂପ, ସେଠାରେ କାହିଁକି ରୋକାଯାଉଛି ଜାତୀୟ ସଙ୍ଗୀତ?
ଭାରତୀୟ ସଂସ୍କୃତିରେ ନାରୀକୁ ସର୍ବୋଚ୍ଚ ସମ୍ମାନ ଦିଆଯାଇଛି ଏବଂ ଆମେ ଲକ୍ଷ୍ମୀ, ସରସ୍ଵତୀ ଓ ଦୁର୍ଗାଙ୍କ ରୂପରେ ନାରୀ ଶକ୍ତିକୁ ପୂଜା କରୁ ବୋଲି ସ୍ମୃତି ଦର୍ଶାଇଛନ୍ତି। ବନ୍ଦେ ମାତରମର ଶେଷ ପଦଗୁଡ଼ିକରେ ମା' ଦୁର୍ଗାଙ୍କୁ 'ଶକ୍ତି' ରୂପେ ଆବାହନ କରାଯାଇଥିବା ବେଳେ କଂଗ୍ରେସ କାହିଁକି କେବଳ ପ୍ରଥମ ଦୁଇଟି ପଦ ଗାଇ ଅନ୍ୟଗୁଡ଼ିକୁ ବାଦ୍ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।
କ'ଣ କହିଥିଲେ ରାହୁଲ ଗାନ୍ଧୀ ?
ଏହାପୂର୍ବରୁ ପୁଣେରେ 'ଛାତ୍ରଙ୍କ ଗୁଞ୍ଜ' କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ସହ ଆଲୋଚନା ବେଳେ ରାହୁଲ ଗାନ୍ଧୀ ମନୁସ୍ମୃତି ମନୋଭାବକୁ ସମାଲୋଚନା କରିଥିଲେ। ସମାଜରେ ୮୦ ପ୍ରତିଶତରୁ ଅଧିକ ମହିଳା କୌଣସି ନା କୌଣସି ପ୍ରକାରେ ନିର୍ଯାତନାର ଶିକାର ହେଉଛନ୍ତି ଏବଂ ସେମାନଙ୍କୁ ଆଗକୁ ବଢ଼ିବାରୁ ରୋକିବା ପାଇଁ ଶୋଷଣ କରାଯାଉଛି ବୋଲି ରାହୁଲ ଅଭିଯୋଗ କରିଥିଲେ। ରାହୁଲଙ୍କ ଏହି ବକ୍ତବ୍ୟ ପରେ ଏବେ ମହିଳା ଆରକ୍ଷଣ ଓ ଜାତୀୟ ସଙ୍ଗୀତକୁ ନେଇ ବିଜେପି-କଂଗ୍ରେସ ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଆହୁରି ତୀବ୍ର ହୋଇଛି।