ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ପୁଣି ଥରେ ଭାଙ୍ଗିଲା ବିଶ୍ଵକପ୍ ଜିତିବାର ସ୍ଵପ୍ନ। ୫୧ ବର୍ଷର ସ୍ବପ୍ନ ପୁଣି ଧୂଳିସାତ୍ । ଆମ୍ଷ୍ଟେଲଭିନ୍ଠାରେ ଖେଳାଯାଇଥିବା ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଆର୍ଜେଣ୍ଟିନା ଠାରୁ ୩-୫ ଗୋଲ୍ରେ ପରାସ୍ତ ହୋଇ ବିଶ୍ବକପ୍ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି ଭାରତ। ଏହି ପରାଜୟ ସହ ଆର୍ଜେଣ୍ଟିନା ବିପକ୍ଷରେ ଭାରତର ପରାଜୟ ସିରିଜ୍ ୫କୁ ବୃଦ୍ଧି ପାଇଛି
ମ୍ୟାଚରେ ଭାରତ ପକ୍ଷରୁ ସୁଖଜିତ୍ ସିଂହ ଦୁଇଟି ଗୋଲ୍ କରିଥିବା ବେଳେ ହାର୍ଦ୍ଦିକ ସିଂହ ଗୋଟିଏ ପେନାଲ୍ଟି ଷ୍ଟ୍ରୋକକୁ ଗୋଲ୍ରେ ରୂପାନ୍ତରିତ କରିଥିଲେ। ତେବେ ପ୍ରଥମ କ୍ବାର୍ଟରରେ ଆର୍ଜେଣ୍ଟିନାର ଆକ୍ରମଣାତ୍ମକ ପ୍ରଦର୍ଶନ ଆଗରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଥିଲା। ଭାରତୀୟ ଦଳ ଏବେ ଆସନ୍ତା ଶୁକ୍ରବାର (ଅଗଷ୍ଟ ୨୮) ୭ମ-୮ମ ସ୍ଥାନ ପାଇଁ ବେଲଜିୟମ୍ ବିପକ୍ଷରେ ମଇଦାନକୁ ଓହ୍ଲାଇବ।
ମ୍ୟାଚ୍ ଆରମ୍ଭର ମାତ୍ର ୪୦ ସେକେଣ୍ଡ ମଧ୍ୟରେ ଜୋଆକିନ୍ ଟୋସ୍କାନି ଆର୍ଜେଣ୍ଟିନା ପାଇଁ ପ୍ରଥମ ଗୋଲ୍ ସ୍କୋର କରି ଭାରତକୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲେ। ଏହାପରେ ପେନାଲ୍ଟି କର୍ଣ୍ଣରରୁ ନିକୋଲାସ୍ ଡେଲ୍ ଟୋରେ ଦ୍ବିତୀୟ ଗୋଲ୍ ହାସଲ କରି ସ୍ଥିତି ୨-୦ କରିଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲ୍ଟନ୍ଙ୍କ ରଣନୀତି କାମ ଦେଇନଥିଲା। ଆକ୍ରମଣରେ ଭାରତୀୟ ରକ୍ଷଣପନ୍ଥୀରେ ବ୍ୟାପକ ସମସ୍ୟା ଦେଖାଦେଇଥିଲା।
ମ୍ୟାଚର ୧୦ମ ମିନିଟରେ ସୁଖଜିତ୍ ଗୋଟିଏ ଗୋଲ୍ ପରିଶୋଧ କରି ଆଶା ସଞ୍ଚାର କରିଥିଲେ। ଭାରତ ୫୪.୫ ପ୍ରତିଶତ ସମୟ ବଲ୍ ନିଜ ନିୟନ୍ତ୍ରଣରେ ରଖିଥିଲେ ସୁଦ୍ଧା ତାହାକୁ ଗୋଲ୍ରେ ରୂପାନ୍ତର କରିବାରେ ବିଫଳ ହୋଇଥିଲା। ଅଭିଷେକ ଓ ମନଦୀପ ସିଂହଙ୍କ ଭଳି ଫରୱାର୍ଡ ଖେଳାଳିମାନେ ଆଶାତୀତ ପ୍ରଦର୍ଶନ କରିପାରି ନଥିଲେ।
ଅନ୍ୟପଟେ ଆର୍ଜେଣ୍ଟିନା ସର୍କଲ୍ ଏଣ୍ଟ୍ରି (୧୦-୬), ଶଟ୍ ଅନ୍ ଟାର୍ଗେଟ୍ (୫-୧) ଏବଂ ପେନାଲ୍ଟି ସୁଯୋଗକୁ ଗୋଲ୍ରେ ବଦଳାଇବାରେ ଭାରତଠାରୁ ଯଥେଷ୍ଟ ଆଗରେ ରହି ମ୍ୟାଚ୍କୁ ନିଜ କବଜାକୁ ନେଇଥିଲା। ଫଳରେ ଆଉ ଗୋଟିଏ ବିଶ୍ବକପ୍ ଅଭିଯାନ ଭାରତ ପାଇଁ ନିରାଶାଜନକ ଭାବେ ଶେଷ ହୋଇଛି।