କଲୋମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଲୋମ୍ବୋରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଋଷଭ ପନ୍ତ । ସେ ୮୧ ବଲରୁ ୫ ଚୌକା ଏବଂ ଗୋଟିଏ ଛକା ସହାୟତାରେ ନିଜର ୫୦ ରନ ପୁରା କରିଛନ୍ତି । ଟେଷ୍ଟ କ୍ୟାରିୟରରେ ଏହା ତାଙ୍କର ୫୧ତମ ଅର୍ଦ୍ଧଶତକ । ନିଜର ଏହି ଇନିଂସ ସମୟରେ ପନ୍ତ ଏକ ନୂଆ ଇତିହାସ ରଚିଛନ୍ତି ।
ସେ ଟେଷ୍ଟ କ୍ରିକେଟରେ ବିଦେଶ ମାଟିରେ ସର୍ବାଧିକ ରନ କରିବାରେ ଭାରତୀୟ ୱିକେଟ୍ କିପର ହେବାର ଉପଲବ୍ଧି ହାସଲ କରିଛନ୍ତି । ସେ ବିଦେଶ ମାଟି ଏବଂ ନିରପେକ୍ଷ ସ୍ଥାନରେ ଏ ପର୍ଯ୍ୟନ୍ତ ୨୫୧୫ ରନ କରି ସାରିଛନ୍ତି । ପନ୍ତ ପୂର୍ବତନ ଭାରତୀୟ ମହାନ ୱିକେଟ କିପର ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଧୋନି ନିଜର ଟେଷ୍ଟ କ୍ୟାରିୟରରେ ବିଦେଶ ମାଟିରେ ମୋଟ୍ ୨୪୯୬ ରନ କରିଛନ୍ତି ।
୨୮ ବର୍ଷୀୟ ପନ୍ତ ବିଦେଶ ମାଟିରେ ଟେଷ୍ଟରେ ସବୁଠୁ ଅଧିକ ରନ କରିବାରେ ୱିକେଟ କିପରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ସେ ଦକ୍ଷିଣ ଆଫ୍ରିକାର ପୂର୍ବତନ ୱିକେଟ କିପର ମାର୍କ ବାଉଚର(୨୫୧୪ ରନ)ଙ୍କୁ ପଛରେ ପକାଇଛନ୍ତି । ଏହି ତାଲିକାରେ ଆଗରେ ଅଛନ୍ତି ଅଷ୍ଟ୍ରେଲିଆର ମହାନ ୱିକେଟ କିପର ଆଡାମ ଗିଲଖ୍ରୀଷ୍ଟ । ସେ ବିଦେଶ ମାଟିରେ ୨୬୩୪ ରନ କରିଛନ୍ତି ।
ଏପରିକି ପନ୍ତ ଟେଷ୍ଟ ଇତିହାସରେ ସର୍ବାଧିକ ଛକା ମାରିବା ତାଲିକାରେ ଗିଲଖ୍ରୀଷ୍ଟଙ୍କୁ ପଛରେ ପକାଇଛନ୍ତି । ପନ୍ତ ୫୨ ଟେଷ୍ଟରେ ୧୦୧ ଛକା ମାରି ତୃତୀୟ ସ୍ଥାନକୁ ଉଠିଛନ୍ତି । ଗିଲଖ୍ରୀଷ୍ଟ ୯୬ ଟେଷ୍ଟରେ ୧୦୦ ଛକା ମାରିଥିଲେ । ନ୍ୟୁଜିଲାଣ୍ଡର ୱିକେଟ କପର ବ୍ରେଣ୍ଡନ ମ୍ୟାକକୁଲମ ୧୦୭ ଛକା ସହ ଦ୍ୱିତୀୟ ସ୍ଥାନ ଏବଂ ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ବେନ ଷ୍ଟୋକ୍ସ ୧୩୮ ଛକା ସହ ଶୀର୍ଷରେ ଅଛନ୍ତି।
ବିଦେଶ ମାଟିରେ ସବୁଠୁ ଅଧିକ ରନ କରିଥିବା ଭାରତୀୟ ୱିକେଟ କିପର
ଋଷଭ ପନ୍ତ- ୨୫୧୫ ରନ
ଏମଏସ ଧୋନି- ୨୪୯୬ ରନ
ଫାରୁକ ଇଞ୍ଜିନିୟର- ୧୨୦୯ ରନ
ସୈୟଦ କିରମାନୀ- ୧୧୦୯ ରନ
କିରଣ ମୋରେ- ୯୦୧ ରନ