ପାରାଦୀପ: ବଙ୍ଗୋପସାଗରରେ ପାରାଦୀପ ଉପକୂଳ ନିକଟରେ ବୁଡ଼ିଯାଇଥିବା ଚୀନ୍ ମାଲବାହୀ ଜାହାଜ ‘MV Ocean Winner’ କୁ ନେଇ ଉଦ୍ଧାର ଅଭିଯାନ ଆହୁରି ତୀବ୍ର ହୋଇଛି। ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ସହ ସମନ୍ୱୟରେ ଦୁଇଟି ଚୀନ୍ ରେସ୍କ୍ୟୁ ଜାହାଜ ମଧ୍ୟ ସନ୍ଧାନ କାର୍ଯ୍ୟରେ ଯୋଗ ଦେଇଛି।
ଉଦ୍ଧାର ଅଭିଯାନ ସମୟରେ ଭାରତୀୟ କୋଷ୍ଟଗାର୍ଡର ଜାହାଜ ‘Varad’ ଗଭୀର ସମୁଦ୍ରରୁ ଏକ ଲାଇଫବୋଟ୍ ଠାବ କରିଥିଲା। ବୋର୍ଡିଂ ଟିମ୍ ତାହାର ଯାଞ୍ଚ କରିଥିଲେ ମଧ୍ୟ ସେଥିରୁ କୌଣସି ଜୀବିତ ନାବିକ ମିଳିନଥିଲେ।
ଅଗଷ୍ଟ ୨୨ରେ ବୁଡ଼ିଯାଇଥିବା ଏହି ଜାହାଜରେ ମୋଟ ୨୪ ଜଣ କ୍ରୁ ଥିଲେ। ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ୍, ୩ ଜଣ ମିଆଁମାର ଓ ଜଣେ ବାଂଲାଦେଶୀ ନାଗରିକ ଥିଲେ। ଏପର୍ଯ୍ୟନ୍ତ କେବଳ ୨ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବାବେଳେ ବାକି ୨୨ ଜଣ ଏବେ ବି ନିଖୋଜ ରହିଛନ୍ତି।
ଅନ୍ୟପଟେ ନୌସେନାର ବିମାନ ଏକ ଜରୁରୀକାଳୀନ ଡିଷ୍ଟ୍ରେସ୍ ସିଗ୍ନାଲ୍ ଚିହ୍ନଟ କରିବା ପରେ ଘଟଣାସ୍ଥଳରୁ ଏକ ଇମର୍ଜେନ୍ସି ବିକନ୍ ମଧ୍ୟ ଉଦ୍ଧାର କରାଯାଇଛି। ଯାଞ୍ଚ ପରେ ଏହା ‘MV Ocean Winner’ର ବୋଲି ନିଶ୍ଚିତ ହୋଇଛି। ସନ୍ଧାନ ପରିସର ବଢ଼ାଇବା ପାଇଁ କୋଷ୍ଟଗାର୍ଡର ‘Vishwast’ ଜାହାଜକୁ ମଧ୍ୟ ନିୟୋଜିତ କରାଯାଇଛି।
ଏମ୍ଆର୍ସିସି (Maritime Rescue Coordination Centre)ର ପ୍ରାଥମିକ ସୂଚନା ଅନୁଯାୟୀ, ଜାହାଜଟି ଗୋଟିଏ ପାର୍ଶ୍ୱକୁ ହେଲିଯିବା ପରେ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ଲୁହାପଥର ଗୁଣ୍ଡ ବୋଝେଇ ଥିବା କାର୍ଗୋରେ ଅଧିକ ଆର୍ଦ୍ରତା ଯୋଗୁଁ ମାଲ ଏକ ପାର୍ଶ୍ୱକୁ ସରିଯାଇ ଜାହାଜର ସନ୍ତୁଳନ ନଷ୍ଟ ହୋଇଥିବାରୁ ଏହି ଅଘଟଣ ଘଟିଥାଇପାରେ ବୋଲି ଅଧିକାରୀମାନେ କହିଛନ୍ତି।