ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଆସିଥିବା ବିଭିନ୍ନ ପର୍ଯ୍ୟାୟ ବନ୍ୟାରେ ୧୦ଟି ଜିଲ୍ଲାରେ ମୋଟ୍ ୯୧ଟି ବ୍ଲକ୍, ୬୦୪ଟି ଗ୍ରାମପଞ୍ଚାୟତ, ୧୮୯୫ଟି ଗ୍ରାମ ଏବଂ ୧୩,୫୦,୩୦୬ ଜଣ ଲୋକେ ପ୍ରଭାବିତ ହୋଇଛନ୍ତି । ଏବେ ମଧ୍ୟ ଜଳବନ୍ଦୀ ଥିବା ଅଞ୍ଚଳରେ ନଜର ରଖାଯାଇଛି । ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିର ସଫଳ ପରିଚାଳନା ଅବ୍ୟାହତ ରହିଥିବା ସୂଚନା ଦିଆଯାଇଛି ।
ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଜ୍ୟର ବନ୍ୟା ଓ ବର୍ଷା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି l ୧୩ ଅଗଷ୍ଟରୁ ୨୬ ଅଗଷ୍ଟ ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ମୋଟ୍ ୯୧ଟି ବ୍ଲକ୍, ୬୦୪ଟି ଗ୍ରାମପଞ୍ଚାୟତ, ୧୮୯୫ଟି ଗ୍ରାମ ଏବଂ ୧୩,୫୦,୩୦୬ ଜଣ ଲୋକ ସାମଗ୍ରିକ ଭାବେ ପ୍ରଭାବିତ ହୋଇଛନ୍ତି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀର ଜଳସ୍ତର ବୃଦ୍ଧି, ଜଳବନ୍ଦୀ ସମସ୍ୟା, ଘାଇ ସୃଷ୍ଟି ଏବଂ ଯୋଗାଯୋଗ ବିଚ୍ଛିନ୍ନ ଆଦି ସମସ୍ତ ସମସ୍ୟା ଉପୁଜି ଥିଲା। ଯାହା ଉପରେ ନଜର ରଖି ସଫଳତାର ସହ ମୁକାବିଲା କରାଯାଇଛି l ବର୍ତ୍ତମାନ ସାମଗ୍ରିକ ସ୍ଥିତି ସ୍ଥିର ରହିଥିବାବେଳେ କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲା ଉପରେ କଡ଼ା ନଜର ରଖାଯାଇଛି।
ଅଗଷ୍ଟ ୧ ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସଞ୍ଚିତ ବର୍ଷା ପରିମାଣ ୩୪୭.୭ ମିଲିମିଟର ରହିଛି। ଯାହାକି ସ୍ୱାଭାବିକ ହାରାହାରି ୨୯୮.୬ ମିଲିମିଟର ତୁଳନାରେ ୧୬.୪% ଅଧିକ । ସେହିପରି ଚଳିତ ମୌସୁମୀ ଋତୁ ଅର୍ଥାତ ୧ ଜୁନ ୨୦୨୬ ରୁ ୨୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୧୦୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ହାରାହାରି ୮୪୩.୦ ମିଲିମିଟର ତୁଳନାରେ ୩୦.୯% ଅଧିକ । ମୌସୁମୀ ସମୟର ଜିଲ୍ଲାଗୁଡ଼ିକର ବର୍ଷା ସ୍ଥିତିକୁ ଦେଖିଲେ, ରାଜ୍ୟର ୨୧ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ଅବଶିଷ୍ଟ ୯ଟି ଜିଲ୍ଲା ଯେମିତି କି ଝାରସୁଗୁଡ଼ା, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ଏବଂ ଗଜପତିକରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର କୌଣସି ବି ଜିଲ୍ଲାରେ ନିଅଣ୍ଟିଆ କିମ୍ବା ସ୍ୱଳ୍ପ ବର୍ଷା ସ୍ଥିତି ଉପୁଜି ନାହିଁ। ବର୍ତ୍ତମାନର ରିପୋର୍ଟ୍ ଅନୁଯାୟୀ ୩ଟି ଜିଲ୍ଲା ତଥା କେନ୍ଦ୍ରାପଡ଼ାର ୫ଟି ବ୍ଲକ୍ , ଭଦ୍ରକର ୨ଟି ବ୍ଲକ୍ ଏବଂ ଯାଜପୁରର ୨ଟି ବ୍ଲକ୍ ବନ୍ୟା ଦ୍ଵାରା ପ୍ରଭାବିତ । ସେହିଭଳି ୬୮ଟି ଗ୍ରାମପଞ୍ଚାୟତର ୧୮୯ଟି ଗ୍ରାମର ୮୦୨୮୪ ଲୋକ ଓ ୧,୦୨,୪୮୧.୫ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି । ବର୍ତ୍ତମାନ ୮୭ଟି ଫ୍ରି କିଚେନ୍ ମାଧ୍ୟମରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ୨୧ଟି ODRAF, ୧ଟି NDRF, ୩୩ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ ୨ଟି ପୋଲିସ, ସିଭିଲ ଡିଫେନ୍ସ ଓ ସ୍ଥାନୀୟ ଟିମକୁ ମିଶାଇ ସମୁଦାୟ ୫୭ଟି ଟିମ୍ ନିୟୋଜିତ ଅଛନ୍ତି l
ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଲକର ୫୫ଟି ଗ୍ରାମ, ଭଦ୍ରକ ଜିଲ୍ଲାର ୨ଟି ବ୍ଲକର ୭୦ଟି ଗ୍ରାମ, ଯାଜପୁର ଜିଲ୍ଲାର ୨ଟି ବ୍ଲକ୍ ୬୪ଟି ଗ୍ରାମ ବନ୍ୟାରେ ପ୍ରଭାବିତ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪୧,୭୬୧ ଜଣ ଉଦ୍ଧାର ହୋଇଥିବା ବେଳେ ୭୬,୦୫୧ ଜଣଙ୍କୁ ଡଙ୍ଗା ଦ୍ୱାରା ସ୍ଥାନାନ୍ତରଣ କରାଯାଇଛି । ୭୭୫ଟି ବିଚ୍ଛିନ୍ନ ଗ୍ରାମକୁ ଯୋଗାଯୋଗ ସଂଯୋଗ କରାଯାଇଥିବା ବେଳେ ୨୧୫ ଜଣଙ୍କୁ ଜରୁରିକାଳୀନ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସମୁଦାୟ ୨୧୦ଟି ଡଙ୍ଗା ମୁତୟନ କରାଯାଇଛି । ବନ୍ୟା ପ୍ରପୀଡ଼ିତଙ୍କୁ ରନ୍ଧା ଖାଦ୍ୟ, ଚୁଡ଼ା, ଗୁଡ଼ ଏବଂ ଆସମୁଦାୟ ୧୦,୫୧୯ପଲିଥିନ୍ ସିଟ୍ ରୋଲ୍ ବଣ୍ଟାଯାଇଛି। ଆଶ୍ରୟସ୍ଥଳୀ ଗୁଡ଼ିକରେ ପିଇବା ପାଣି, ପରିମଳ, ଆଲୋକ, ଚିକିତ୍ସା ସୁବିଧା ଏବଂ ଶିଶୁ, ଗର୍ଭବତୀ, ବୃଦ୍ଧ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ୫୮୧୬ଟି ଟ୍ୟୁବୱେଲ୍ ଓ ୧୪୪ଟି PWS ପୁନରୁଦ୍ଧାର କରାଯାଇଛି। ୭୬ଟି ୱାଟର ଟ୍ୟାଙ୍କର, ୧୦,୨୮,୨୬୪ଟି ପାଣି ବୋତଲ/ପାଉଚ୍ ବଣ୍ଟାଯାଇଛି।
ଯାଜପୁରରେ ୧୮ଟି ସ୍ୱାସ୍ଥ୍ୟ କେନ୍ଦ୍ର/ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ଆଜି ୮୪ଟି ମେଡିକାଲ ଟିମ୍ ଏବଂ ୫୩ଟି ମେଡିକାଲ କ୍ୟାମ୍ପ (ସମୁଦାୟ ୧୫୯ଟି) କାର୍ଯ୍ୟକ୍ଷମ ଅଛନ୍ତି । ସମୁଦାୟ ୩୩,୬୫୩ ଜଣଙ୍କୁ ଚିକିତ୍ସା କରାଯାଇଛି, ୩୦୪ ଝାଡ଼ାବାନ୍ତି ମାମଲା, ୪୯ ସାପକାମୁଡ଼ା ମାମଲା ରିପୋର୍ଟ ହୋଇଛି। ୩୨୭ ଜଣ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ଓ ୯୯ଟି ପ୍ରସବ କରାଯାଇଛି। ପର୍ଯ୍ୟାପ୍ତ ଔଷଧ, ORS, IV ଫ୍ଲୁଇଡ୍ ଏବଂ ଆଣ୍ଟି ସ୍ନେକ୍ ଭେନମ୍ ଉପଲବ୍ଧ ଅଛି। ପ୍ରାୟ ୧,୦୨,୪୮୧.୫ ହେକ୍ଟର ଜମିର ଧାନ ଫସଲ ପ୍ରଭାବିତ ହୋଇଥିବା ବେଳେ ୫,୬୦,୩୫୬ ପଶୁ ସମ୍ପଦ ଓ ୫୬,୯୮୩ କୁକୁଡ଼ା ପ୍ରଭାବିତ ହୋଇଛନ୍ତି l ୯୮ଟି ପ୍ରାଣୀଚିକିତ୍ସା ଟିମ୍, ୨୪୨ଟି କ୍ୟାମ୍ପ ମାଧ୍ୟମରେ ୨୫,୨୩୦ ପଶୁଙ୍କୁ ଚିକିତ୍ସା ଏବଂ ଟୀକାକରଣ କରାଯାଇଛି । ମୋଟ୍ ୪୧ଟି ପଶୁ ମୃତ୍ୟୁ ରିପୋର୍ଟ ହୋଇଛି। ଗାଇ ହୋଇଥିବା ବିଭିନ୍ନ ସ୍ଥାନରେ ବିକଳ୍ପ ଯୋଗାଯୋଗ ବ୍ୟବସ୍ଥା କରାଯାଉଛି। ସ୍ପେଶାଲ୍ ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ କହିଛନ୍ତି ଯେ, ରାଜ୍ୟରେ ଉଦ୍ଧାର ବାହିନୀ, ଖାଦ୍ୟ, ବିଶୁଦ୍ଧ ପିଇବା ପାଣି, ଔଷଧ କିମ୍ବା ରିଲିଫ୍ ସାମଗ୍ରୀର କୌଣସି ଅଭାବ ନାହିଁ। ଆବଶ୍ୟକତା ଅନୁଯାୟୀ ଅଧିକ ସମ୍ବଳ ଯୋଗାଇ ଦେବାକୁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି l ଲୋକମାନେ ବିଭିନ୍ନ ସୁରକ୍ଷା ନିର୍ଦ୍ଦେଶାବଳୀର ଅନୁପାଳନ କରି ନିଜର ଧନଜୀବନ ସହ ସୁରକ୍ଷିତ ରହିବାକୁ ଅନୁରୋଧ କରାଯାଇଛି l