ନୂଆଦିଲ୍ଲୀ: ନେପାଳରେ ଆସିଥିବା ବିନାଶକାରୀ ବନ୍ୟାରେ ସବୁ କିଛି ଛାରଖାର ହୋଇଯାଇଛି । ଏହି ଆକସ୍ମିକ ବନ୍ୟା ପରେ ୨୮୮ ଜଣ ଭାରତୀୟ ନିଖୋଜ ଥିବା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଛି ।
ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସୱାଲଙ୍କ ସୂଚନା ଅନୁସାରେ, ତ୍ରିଶୂଳୀ-୧ ବିଦ୍ୟୁତ ପ୍ରକଳ୍ପରେ କାମ କରୁଥିବା ୭୩ ଜଣ ନିଖୋଜ ଅଛନ୍ତି । ସେହିପରି ତାମିଲନାଡୁର ଦୁଇଟି ଗୋଷ୍ଠୀର ୩୭ ଏବଂ ୪୯ ଜଣ ନାଗରିକ ଅଛନ୍ତି, ଯେଉଁମାନେ ସମ୍ରାଟ ଟ୍ରାଭେଲ୍ସ ଏବଂ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ୍ସ ମାଧ୍ୟମରେ କୈଳାସ ମାନସରୋବର ବୁଲିବାକୁ ଯାଇଥିଲେ । ପଶ୍ଚିମବଙ୍ଗର ୩୨ ଜଣ ମଧ୍ୟ ନିଖୋଜ ଅଛନ୍ତି । ଏମାନେ ମଧ୍ୟ ସମ୍ରାଟ ଟ୍ରାଭେଲ୍ସର ସହାୟତାରେ ରସୁୱା ଜିଲ୍ଲାର ତିମୁରେ ଯାତ୍ରା କରିଥିଲେ। ଏହା ସହିତ, ବିଭିନ୍ନ ରାଜ୍ୟରୁ ୬୧ ଜଣ ଭାରତୀୟ ନାଗରିକ ଏବଂ କେରଳରୁ ୩୩ ଜଣ ଅଛନ୍ତି । ଏଯାବତ ମାତ୍ର ୨୧ ଜଣ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ବ୍ୟକ୍ତିଙ୍କ ନାମ ମଧ୍ୟ ବୈଦେଶିକ ମନ୍ତ୍ରାଳୟ ଜାରି କରିଛି ।
ବୈଦେଶିକ ମୁଖପାତ୍ର ଆହୁରି କହିଛନ୍ତି ଯେ କିଛି ଭାରତୀ ଚୀନ ସୀମାରେ ଫସି ରହିଛନ୍ତି । ପ୍ରାୟ ୨୦୦ ଜଣ ଭାରତୀୟ ନାଗରିକ ଚୀନ ସୀମାରେ ରହିଥିବା ଅନୁମାନ କରାଯାଉଛି ।