ଭୁବନେଶ୍ୱର: ନେପାଳ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଦମ୍ପତ୍ତି ନିଖୋଜ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାର ସନ୍ଦୀପ ମହାପାତ୍ର ଏବଂ ସିଦ୍ଧାର୍ଥୀ କୁମାରୀ ସାହୁ ନିଖୋଜ ଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।
୨୦୧୮ ମସିହାରୁ ସନ୍ଦୀପ ମହାପାତ୍ର ଏବଂ ସିଦ୍ଧାର୍ଥୀ କୁମାରୀ ସାହୁ ଅଷ୍ଟ୍ରେଲିଆରେ ରହୁଛନ୍ତି । ଗତ ଅଗଷ୍ଟ ୨୨ ତାରିଖରେ ସେମାନେ ନେପାଳ ବୁଲିବାକୁ ଯାଇଥିଲେ । ଗତକାଲି ଆକସ୍ମିକ ବନ୍ୟା ପର ଠାରୁ ସେମାନଙ୍କ ଫୋନ୍ ସୁଇଚ୍ ଅଫ୍ ଥିବାବେଳେ ସେମାନଙ୍କ ସହିତ କୌଣସି ଯୋଗାଯୋଗ ହୋଇ ପାରୁନାହିଁ । ତାଙ୍କ ଭଉଣୀଙ୍କଠାରୁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ବୈଦେଶିକ ମନ୍ତ୍ରାଳୟ ନିକଟରେ ଦାଖଲ କରାଯାଇଛି ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ପୁରୀର ରାକେଶ କୁମାର ପଣ୍ଡା ଏବଂ ତାଙ୍କର ଦୁଇ ଜଣ ସାଥୀ ସୁରକ୍ଷିତ ଅଛନ୍ତି । ସେମାନେ ରକ୍ସୌଲ ପୋଷ୍ଟ ଦେଇ ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସେହିପରି ଫୁଟବଲ୍ ମ୍ୟାଚ୍ ଖେଳିବାକୁ ନେପାଳ ଯାଇଥିବା ଓଡ଼ିଶା ଫୁଟବଲ୍ ଖେଳାଳି ମଧ୍ୟ ସୁରକ୍ଷିତ ଅଛନ୍ତି । ଫୁଟବଲ ପ୍ରଶିକ୍ଷକ ହାଲିମଙ୍କ ସହିତ ଏକ ୬ ଜଣିଆ ଦଳ ନେପାଳ ଗସ୍ତ କରିଥିଲେ । ସେମାନେ ପୋଖରାରେ ଏକ ମ୍ୟାଚ୍ ଖେଳିବାକୁ ଯାଇଥିଲେ । ସେମାନେ ସମସ୍ତେ ସୁରକ୍ଷିତ ଥିବା ସରକାର ସ୍ପଷ୍ଟ କରିଛନ୍ତି ।
ଯୋଗାଯୋଗ ନମ୍ବର
ନେପାଳରେ ଫସିରହିଥିବା କିମ୍ବା ନିଖୋଜ ଥିବା ଓଡ଼ିଆ ଲୋକଙ୍କ ସମ୍ପର୍କରେ ତଥ୍ୟ ଆଦାନପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ 'ଓଡ଼ିଶା ପରିବାର' ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ହେଲ୍ପଲାଇନ୍ ନମ୍ବର: ୦୧୧-୨୩୦୧୨୮୦୭, ୭୪୨୮୧୩୫୦୪୪ ଏବଂ ୮୫୨୭୫୮୦୨୪୫
ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି ଏବଂ ଓଡ଼ିଆ ସମ୍ପ୍ରଦାୟର ସହାୟତା ପାଇଁ ନୋଡାଲ ଅଧିକାରୀ ଭାବେ ପ୍ରିତିଶ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରୀୟ ଏଜେନ୍ସି ଓ ନେପାଳ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ନିଖୋଜ ଦମ୍ପତିଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି।