ଭୁବନେଶ୍ୱର: ନେପାଳରେ ତାଣ୍ଡବ ରଚିଥିବା ପ୍ରଳୟଙ୍କରୀ ବନ୍ୟା ମଧ୍ୟରେ ଓଡ଼ିଶାରୁ ଯାଇଥିବା ଏକ ଦମ୍ପତି ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବକ ଓ ତାଙ୍କ ପତ୍ନୀ ନେପାଳ ଗସ୍ତରେ ଥିବା ବେଳେ ବନ୍ୟାରେ ଫସିରହିଥିବା ଏବଂ ସେମାନଙ୍କର କୌଣସି ପତ୍ତା ମିଳୁନଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ କାଠମାଣ୍ଡୁ ସମେତ ନେପାଳର ବିଭିନ୍ନ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ସେଠାରେ ଲାଗି ରହିଥିବା ପ୍ରବଳ ବର୍ଷା ଓ ଭୟଙ୍କର ବନ୍ୟା ଯୋଗୁଁ ନେପାଳର ରସୁୱା ଅଞ୍ଚଳରେ ସେମାନେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ବହୁ ଚେଷ୍ଟା ସତ୍ତ୍ୱେ ପରିବାର ଲୋକେ ସେମାନଙ୍କ ସହ କୌଣସି ପ୍ରକାର ଯୋଗାଯୋଗ କରିପାରୁ ନଥିବାରୁ ସେଠାରେ ଗଭୀର ଆଶଙ୍କା ଏବଂ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି।
ନେପାଳରେ ଫସିରହିଥିବା କିମ୍ବା ନିଖୋଜ ଥିବା ଓଡ଼ିଆ ଲୋକଙ୍କ ସମ୍ପର୍କରେ ତଥ୍ୟ ଆଦାନପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ 'ଓଡ଼ିଶା ପରିବାର' ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ହେଲ୍ପଲାଇନ୍ ନମ୍ବର: ୦୧୧-୨୩୦୧୨୮୦୭, ୭୪୨୮୧୩୫୦୪୪ ଏବଂ ୮୫୨୭୫୮୦୨୪୫
ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି ଏବଂ ଓଡ଼ିଆ ସମ୍ପ୍ରଦାୟର ସହାୟତା ପାଇଁ ନୋଡାଲ ଅଧିକାରୀ ଭାବେ ପ୍ରିତିଶ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରୀୟ ଏଜେନ୍ସି ଓ ନେପାଳ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ନିଖୋଜ ଦମ୍ପତିଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି।
Also Read: ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର ଆରସି ବାତିଲ, ଆହୁରି ୩୦ ଲକ୍ଷ ଗାଡ଼ି ହଟିବ !