ପଦ୍ମପୁର: ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି ।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସ୍ବର୍ଗତ ସତ୍ୟଭୂଷଣ ସାହୁ ୧୯୮୦, ୧୯୮୫ ଓ ୨୦୦୪ ମସିହାରେ ପଦ୍ମପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇ ତିନିଥର ଓଡ଼ିଶା ବିଧାନ ସଭାକୁ ପ୍ରତିନିଧିତ୍ୱ କରିଥିଲେ । ଏଥିସହ ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଇଥିଲେ ।
ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବାଚସ୍ପତି ସୁରମା ପାଢ଼ୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସ୍ବର୍ଗତ ସାହୁଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦ୍ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।