କୋରାପୁଟ: କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ୍ ଗୁମୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଏସ୍ଟି ଓ ଏସ୍ସି ବିକାଶ ବିଭାଗ ପରିଚାଳିତ ହଷ୍ଟେଲରେ ରହୁଥିବା ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ସ୍କୁଲ ପଛପଟ ନାଳରୁ ଉଦ୍ଧାର ହୋଇଛି। ସେ ଗତ ୩ ଦିନ ଧରି ନିଖୋଜ ଥିଲେ।
ମୃତ ଛାତ୍ରଙ୍କ ପରିଚୟ ଗୁରୁନାଥ ବୋଲି ଜଣାପଡ଼ିଛି। ସେ ହରଡାଗୁଡା ପଞ୍ଚାୟତ ଅନ୍ତର୍ଗତ ମରଡା ମାଲିଗୁଡା ଗାଁର ବାସିନ୍ଦା ଏବଂ ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ।
ସୂଚନା ଅନୁଯାୟୀ, ସୋମବାରଠାରୁ ଗୁରୁନାଥ ସ୍କୁଲ ପରିସରରୁ ନିଖୋଜ ଥିଲେ। ତେବେ ବୁଧବାର ସ୍କୁଲ ପଛରେ ଥିବା ଏକ ନାଳରୁ ତାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଅବସ୍ଥାରେ ଠାବ କରାଯାଇଥିଲା। ଘଟଣାକୁ ନେଇ ପରିବାର ଲୋକ ଗୁରୁତର ଅଭିଯୋଗ ଆଣିଛନ୍ତି। ଛାତ୍ର ନିଖୋଜ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ ନା ପୋଲିସକୁ ଖବର ଦେଇଥିଲେ, ନା ଅଭିଭାବକଙ୍କୁ ସୂଚନା ଦେଇଥିଲେ ବୋଲି ସେମାନେ ଦାବି କରିଛନ୍ତି।
ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ନୃସିଂହନାଥ ଶତପଥୀ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଖବର ପାଇ ବି. ସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।