ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ଶ୍ରୀରାମ ନଗର ଅଞ୍ଚଳରେ ଜଣେ ୨୩ ବର୍ଷୀୟ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତା ହେଲେ ସବଡେଗା ଅଞ୍ଚଳର ସୁଶ୍ମିତା ତିର୍କୀ, ଯିଏ ଶାନ୍ତିଲତା ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟରତ ଥିଲେ।
ପ୍ରାଥମିକ ସୂଚନା ଅନୁସାରେ, ସେ ରହୁଥିବା ଭଡ଼ାଘର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଘଟଣାର ଖବର ପାଇ ଟାଉନ୍ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ପୁଲିସ ମୃତଦେହକୁ ଜବତ କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ବର୍ତ୍ତମାନ ସୁଶ୍ମିତାଙ୍କ ମୃତ୍ୟୁ ପଛରେ କୌଣସି କାରଣ ରହିଛି କି ନାହିଁ, ସେନେଇ ପୁଲିସ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି।