କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୨୨ ବର୍ଷୀୟ ଜଣେ ଯୁବକ ଗତକାଲି ବିଳମ୍ବିତ ରାତିରେ କାଳପଡ଼ା ଲୁଣା ନଦୀ ସେତୁରୁ ନଦୀକୁ ଡେଇଁ ପଡ଼ିବା ପରେ ନିଖୋଜ ହୋଇଯାଇଛନ୍ତି। ଘଟଣା ପରେ ଅଗ୍ନିଶମ ବାହିନୀ ସ୍ପିଡ୍ ବୋଟ୍ ସାହାଯ୍ୟରେ ଜୋରଦାର ସର୍ଚ୍ଚ ଅପରେସନ୍ ଚଳାଇଛି।
ନିଖୋଜ ଯୁବକ ହେଲେ ସଦର ଥାନା ଅଧୀନ ବାହାକାଣ୍ଡିଆ ଗ୍ରାମର ରାଜକୁମାର ଜେନା। ସୂଚନା ଅନୁସାରେ, ରାତିରେ ସେ ଲୁଣା ନଦୀ ବ୍ରିଜ୍କୁ ଯାଇଥିଲେ। ତେବେ କେଉଁ କାରଣରୁ ସେ ନଦୀକୁ ଡେଇଁ ପଡ଼ିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରାତିର ଅନ୍ଧାର ଓ ନଦୀର ପ୍ରଖର ସ୍ରୋତ ଯୋଗୁଁ ସନ୍ଧାନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ ଆଜି ମଧ୍ୟ ସ୍ପିଡ୍ ବୋଟ୍ରେ ଖୋଜାଖୋଜି ଜାରି ରହିଛି। ଏପର୍ଯ୍ୟନ୍ତ ରାଜକୁମାରଙ୍କ କୌଣସି ସନ୍ଧାନ ମିଳିନଥିବା ବେଳେ, ସେ କାହିଁକି ଏଭଳି ପଦକ୍ଷେପ ନେଲେ ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।