ଭୁବନେଶ୍ୱର: ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଗତ ବାତାବରଣକୁ ଅଧିକ ସୁଦୃଢ଼ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଡିଜିଟାଲ୍ ଉପାୟରେ ରେକର୍ଡ କରାଯିବ। HIMS (Higher Education Information Management System) ମାଧ୍ୟମରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି।
‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’ ଯୋଜନାର ହିତାଧିକାରୀ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ୭୫ ପ୍ରତିଶତ କ୍ଲାସ୍ ଉପସ୍ଥାନ ବାଧ୍ୟତାମୂଳକ ରହିଥିବାରୁ ଏହି ନୂତନ ନିୟମ ପ୍ରଣୟନ କରାଯାଉଛି।
୨୫ ଅଗଷ୍ଟ ୨୦୨୬ରୁ ପାଇଲଟ୍ ପ୍ରକଳ୍ପ ଆରମ୍ଭ
ପ୍ରଥମ ପର୍ଯ୍ୟାୟରେ ୨୫ ଅଗଷ୍ଟ ୨୦୨୬ରୁ ରାଜ୍ୟର ୧୦ଟି ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନରେ ଏହାକୁ ପାଇଲଟ୍ ଭିତ୍ତିରେ କାର୍ଯ୍ୟକାରୀ କରାଯିବ। ଏହି ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ, ବାୟୋମେଟ୍ରିକ୍ ତଥ୍ୟ ସଂଗ୍ରହ, ଉପସ୍ଥାନ ରେକର୍ଡିଂ ଏବଂ HIMS ସିଷ୍ଟମ୍ ସହ ସମନ୍ୱୟ ରକ୍ଷା କରାଯିବ।
ଯେଉଁ ୧୦ଟି କଲେଜରେ ଲାଗୁ ହେବ ବ୍ୟବସ୍ଥା
ଏମ.ପି.ସି. ସ୍ୱୟଂଶାସିତ ମହାବିଦ୍ୟାଳୟ, ମୟୂରଭଞ୍ଜ
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର
ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର (ଭୁବନେଶ୍ୱର)
ମଡେଲ ଡିଗ୍ରୀ କଲେଜ, ବୌଦ୍ଧ
ସରକାରୀ ଡିଗ୍ରୀ କଲେଜ, ତେନ୍ତୁଳିଖୁଣ୍ଟି
ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ଆଡ଼ଶପୁର
ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱର
କାଣ୍ଟାବାଞ୍ଜି ଭୋକେସନାଲ ଡିଗ୍ରୀ କଲେଜ, ବଲାଙ୍ଗିର
ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା
କ୍ୟାମ୍ପସ୍ ବାହାରେ ଦେଇହେବନି ଉପସ୍ଥାନ
ଏହି ନୂଆ ବ୍ୟବସ୍ଥାରେ ଜାଲିଆତି ରୋକିବା ପାଇଁ Geo-Tagging ର ସାହାରା ନିଆଯାଇଛି। କଲେଜ ପରିସରକୁ ଜିଓ-ଫେନ୍ସିଂ କରାଯିବ। HIMS ମୋବାଇଲ୍ ଆପ୍ରେ ଉପସ୍ଥାନ ଦେବା ବେଳେ ଶିକ୍ଷକ ଓ କର୍ମଚାରୀଙ୍କ GPS ଲୋକେସନ୍ କଲେଜ ସୀମା ମଧ୍ୟରେ ହିଁ ରହିବା ଆବଶ୍ୟକ। ଏଥିସହିତ ସମ୍ପୃକ୍ତ ସମୟର ଲାଇଭ୍ ଫଟୋ ଅପଲୋଡ୍ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।
କିପରି ହେବ ଆଟେଣ୍ଡାନ୍ସ ପ୍ରକ୍ରିୟା?
ପ୍ରଥମେ ଶିକ୍ଷକମାନେ ନିଜର 'ସେଲ୍ଫ-ଆଟେଣ୍ଡାନ୍ସ' ରେକର୍ଡ କରିବେ। ଏହାପରେ HIMS ଆପ୍ର Academics ସେକ୍ସନ୍କୁ ଯାଇ ନିଜ ନିର୍ଦ୍ଧାରିତ କ୍ଲାସ୍ ଚୟନ କରିବେ ଏବଂ ଛାତ୍ରଛାତ୍ରୀଙ୍କୁ Present (P) କିମ୍ବା Absent (A) ଭାବେ ଚିହ୍ନଟ କରିବେ। ସେଶସରେ କ୍ଲାସ୍ର ଲାଇଭ୍ ଫଟୋ ନେଇ ଉପସ୍ଥାନ ସବମିଟ୍ କରାଯିବ।
ପାଇଲଟ୍ ପ୍ରକଳ୍ପର ସଫଳତା ଓ ପ୍ରତିକ୍ରିୟାକୁ ଆଧାର କରି ବ୍ୟବସ୍ଥାରେ ଆବଶ୍ୟକ ସୁଧାର ଅଣାଯିବ। ଏହାପରେ ରାଜ୍ୟର ଅନ୍ୟ ସମସ୍ତ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନରେ ଏହି ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ ବ୍ୟବସ୍ଥା ରାଜ୍ୟବ୍ୟାପୀ ଲାଗୁ କରାଯିବ ବୋଲି ଯୋଜନା ରହିଛି।