ଭୁବନେଶ୍ୱର: ରାଜଧାନୀର ପ୍ରସିଦ୍ଧ ପାହାଳ ମିଠା ବଜାରରେ ଖାଦ୍ୟରେ ଅପମିଶ୍ରଣ ଅଭିଯୋଗକୁ ନେଇ ସୋମବାର ବଡ଼ ଧରଣର ଚଢ଼ାଉ କରିଛି ଭୁବନେଶ୍ୱର ମହାନଗର ନିଗମ (BMC)ର ଫୁଡ୍ ସେଫ୍ଟି ଟିମ୍। ଟେଷ୍ଟିଂ ଭ୍ୟାନ୍ ସହ ପହଞ୍ଚିଥିବା ଟିମ୍ ବିଭିନ୍ନ ମିଠା ଦୋକାନରେ ଛେନା, ପନିର ଓ ଅନ୍ୟାନ୍ୟ ମିଠାର ନମୁନା ସଂଗ୍ରହ କରି ଗୁଣବତ୍ତା ଯାଞ୍ଚ ଆରମ୍ଭ କରିଛି।
ଚଢ଼ାଉ ସମୟରେ ପାହାଳ ବଜାରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଫୁଡ୍ ସେଫ୍ଟି ଟିମ୍ ପହଞ୍ଚିବା ପୂର୍ବରୁ ହିଁ ଅନେକ ମିଠା ଦୋକାନର ଶଟର୍ ହଠାତ୍ ବନ୍ଦ ହୋଇଯାଇଥିଲା। ଫଳରେ ସାଧାରଣତଃ ଗ୍ରାହକଙ୍କ ଭିଡ଼ରେ ଚଳଚଞ୍ଚଳ ରହୁଥିବା ବଜାର କିଛି ସମୟ ପାଇଁ ଖାଁ ଖାଁ ଦେଖାଯାଇଥିଲା।
ଯାଞ୍ଚ ବେଳେ କେବଳ ମିଠାର ନମୁନା ନୁହେଁ, ବରଂ ମିଠା ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲର ମାନ, ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ନିୟମ ପାଳନ ହେଉଛି କି ନାହିଁ, ସେନେଇ ମଧ୍ୟ ଯାଞ୍ଚ କରାଯାଉଛି।
ପାହାଳର ମିଠା ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ବେଶ୍ ଲୋକପ୍ରିୟ ହୋଇଥିବାରୁ ଖାଦ୍ୟର ଗୁଣବତ୍ତା ଓ ଗ୍ରାହକଙ୍କ ସୁରକ୍ଷାକୁ ନଜରରେ ରଖି BMC ଏଭଳି ସ୍ୱତନ୍ତ୍ର ଚଢ଼ାଉ କରିଛି। ଯଦି ଯାଞ୍ଚରେ ଅନିୟମିତତା ଧରାପଡ଼େ, ତେବେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।