ପୁରୀ: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆଉ ଏକ ପାରମ୍ପରିକ ପର୍ବ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକ୍ରମେ ଭୋଇ ସେବକମାନେ ତିନି ରଥର ରଥଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି।
ପରମ୍ପରା ଅନୁସାରେ ଭୋଇ ସର୍ଦ୍ଧାର ଅନୁକୂଳ କରିବା ପରେ ପ୍ରଥମେ ରଥର କଳସ ଖୋଲାଯାଇଥିଲା। ଏହାପରେ ପର୍ଯ୍ୟାୟକ୍ରମେ ପାରାଭାଡି ଓ ଦ୍ୱାରବେଢା ଭଙ୍ଗାଯାଇଛି। ଆଗାମୀ ଦିନଗୁଡ଼ିକରେ ରଥର ଅନ୍ୟ ସମସ୍ତ ଅଂଶ ଖୋଲାଯିବ।
ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାଯାଉଥିବା ବେଳେ, ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ। ତିନି ରଥ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିବା ପାଇଁ ସାଧାରଣତଃ ୧୦ରୁ ୧୨ ଦିନ ସମୟ ଲାଗିଥାଏ।
ରଥରୁ ବାହାରୁଥିବା ସମସ୍ତ କାଠ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ। ଏହି କାଠ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ।
ରଥଭଙ୍ଗା ସହ ଜଡ଼ିତ ରହିଛି ଏକ ଲୋକବିଶ୍ୱାସ ମଧ୍ୟ। ଦେବୀ ସୁଭଦ୍ରାଙ୍କ ରଥରୁ ବାହାରୁଥିବା ଲୁହା କଣ୍ଟା ଫଳୁନଥିବା ଗଛରେ ବାଡେଇଲେ ଗଛରେ ଫଳ ଧରେ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ପ୍ରତିବର୍ଷ ଅନେକ ଭକ୍ତ ଏହି କଣ୍ଟା ସଂଗ୍ରହ କରିଥାନ୍ତି।ରଥଭଙ୍ଗା କାର୍ଯ୍ୟକୁ ଦୃଷ୍ଟିରେ ରଖି ରଥ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।