ବୌଦ୍ଧ: ଗଞ୍ଜେଇ ବେପାରୀଙ୍କ ଭାଇରାଲ୍ ଅଡ଼ିଓ ସାମ୍ନାକୁ ଆସିବା ପରେ ବୌଦ୍ଧ ଏସପି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏସପି ଏକକାଳୀନ ୬ ପୋଲିସ ଅଧିକାରୀଙ୍କର ବଦଳି କରିଛନ୍ତି । ବୌଦ୍ଧ ମଡେଲ୍ ଥାନା ଆଇଆଇସି ନଳିନକାନ୍ତ ଦାସ, ପୁରୁଣାକଟକ ଆଇଆଇସି ରଞ୍ଜିତ ମୁନି, ବୌଦ୍ଧ ହେଡକ୍ୱାର୍ଟର୍ସର ଇନ୍ସପେକ୍ଟର ବବିତା ସାହୁ, ବଘିଆପଡ଼ା ଫାଣ୍ଡି ଏଏସ୍ଆଇ ପ୍ରାଣବନ୍ଧୁ ସାହୁ, ଜହ୍ନାପଙ୍କ ଫାଣ୍ଡିର ଏଏସ୍ଆଇ ବ୍ରହ୍ମାନନ୍ଦ ପ୍ରଧାନ, ବୌଦ୍ଧ ରେଞ୍ଜ ଅଫିସର ଏଏସ୍ଆଇ ପିତାବାସ ବେହେରାଙ୍କୁ ବଦଳି କରିଛନ୍ତି ଏସପି କୁଲଦୀପ ମୀନା ।
ମଡେଲ ଥାନାର ଆଇଆଇସି ନଳିନୀକାନ୍ତ ଦାସଙ୍କୁ ବୌଦ୍ଧ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି । ପୁରୁଣାକଟକ ଥାନାର ଆଇଆଇସି ରଞ୍ଜିତ ମୁନିଙ୍କୁ ମଡେଲ୍ ଥାନା ଆଇଆଇସି ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ବବିତା ସାହୁଙ୍କୁ ପୁରୁଣାକଟକ ଥାନାର ଆଇଆଇସି ଭାବେ ବଦଳି କରାଯାଇଛି। ସେହିପରି ବଘିଆପଡ଼ା ଫାଣ୍ଡି ଏଏସ୍ଆଇ ପ୍ରାଣବନ୍ଧୁ ସାହୁଙ୍କୁ ବୌଦ୍ଧ ରେଞ୍ଜ ଅଫିସ, ଜହ୍ନାପଙ୍କ ଫାଣ୍ଡିର ଏଏସ୍ଆଇ ବ୍ରହ୍ମାନନ୍ଦ ପ୍ରଧାନଙ୍କୁ ବଘିଆପଡ଼ା ଫାଣ୍ଡି ଏବଂ ବୌଦ୍ଧ ରେଞ୍ଜ ଅଫିସର ଏଏସ୍ଆଇ ପିତାବାସ ବେହେରାଙ୍କୁ ଜହ୍ନାପଙ୍କ ଫାଣ୍ଡିକୁ ବଦଳି କରାଯାଇଛି । ସମସ୍ତଙ୍କୁ ନିଜ କାର୍ଯ୍ୟସ୍ଥଳୀରେ ଯୋଗ ଦେବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଗତ କିଛିଦିନ ତଳେ ଏକ ଅଡ଼ିଓ କ୍ଲିପ୍ ଭାଇରାଲ ହୋଇଥିଲା । ଜନୈକ ସବ୍ ଇନ୍ସପେକ୍ଟର ପାଟ୍ରୋଲିଂ କରୁଥିବାବେଳେ ଗୋଟିଏ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଳେ ପ୍ରାୟ ଏକ କ୍ୱିଣ୍ଟାଲ କୋଡ଼ିଏ କିଲୋ ଗଞ୍ଜେଇ ଜବତ କରିଥିଲେ । ଧରାପଡ଼ିଥିବା ବ୍ୟକ୍ତିମାନେ ଜନୈକ ଫାଣ୍ଡି ଅଧିକାରୀ ତାଙ୍କୁ ୨ କ୍ୱିଣ୍ଟାଲ ୭୫ କିଲୋ ଦେଇଥିବା ସ୍ୱୀକାର କରିଥିଲେ । ସବ୍ ଇନ୍ସପେକ୍ଟର ଜଣକ ଫାଣ୍ଡି ଅଧିକାରୀଙ୍କୁ ଏ ବିଷୟରେ ଯୋଗାଯୋଗ କରିଥିବା ଓ ସମ୍ପୃକ୍ତ ଅଧିକାରୀ ଏହା ତାଙ୍କର ନୁହେଁ ଓ ଆଗରୁ ୪ ଦିନ ତଳୁ ସେଇ ମାମଲା ଶେଷ ହୋଇ ସାରିଥିବା ଓ ଆଇଆଇସି ନଳିନୀ ସାର୍ ଜାଣିଥିବା ଅଡିଓରେ ଶୁଣାଯାଉଛି l ଯାହା ପରେ ଏସପି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।