ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ମଙ୍ଗଳ ଆଳତୀ ସମୟରେ ଘଟିଥିବା ଏକ ମାଡ଼ଗୋଳ ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ମହାପ୍ରଭୁଙ୍କ ନୀତି ଚାଲିଥିବା ବେଳେ ଦର୍ଶନକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିଲା। ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ମାଡ଼ଗୋଳରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଦର୍ଶନ ସମୟରେ କୌଣସି ଏକ କଥାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଏହି ସମୟରେ ଜଣେ ଯୁବତୀଙ୍କୁ ସ୍ଥାନୀୟ ଜଣେ ବ୍ୟକ୍ତି ଜାବୁଡ଼ା ମାରିଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ଦାଖଲ ହୋଇଛି। ଏହାପରେ ଦୁଇ ପକ୍ଷ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇ ମାଡ଼ପିଟ ପରିସ୍ଥିତି ଉପୁଜିଥିଲା।
ଘଟଣା ପରେ ସିଂହଦ୍ୱାର ଥାନା ପୁଲିସ ତୁରନ୍ତ ହସ୍ତକ୍ଷେପ କରି ଉଭୟ ପକ୍ଷଙ୍କୁ ଥାନାକୁ ନେଇ ଅଟକ ରଖିଛି। ବର୍ତ୍ତମାନ ସେମାନଙ୍କୁ ପଚରାଉଚରା କରାଯାଉଥିବା ବେଳେ ବିବାଦର ପ୍ରକୃତ କାରଣ ଖୋଜିବାକୁ ତଦନ୍ତ ଜାରି ରହିଛି।
ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନରେ, ସେପୁଣି ମଙ୍ଗଳ ଆଳତୀ ଭଳି ପବିତ୍ର ନୀତି ସମୟରେ ଏଭଳି ଘଟଣା ଘଟିଥିବାରୁ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କାହାର ଭୁଲ୍ରୁ ବିବାଦ ଆରମ୍ଭ ହେଲା ଏବଂ ଅଭିଯୋଗର ସତ୍ୟତା କ’ଣ, ସେନେଇ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।