ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବୁଧବାର ଏକ ବଡ଼ ସଡ଼କ ଦୁର୍ଘଟଣା ଟଳିଯାଇଛି। ସିମୁଳିଆ ଥାନା ଅଧୀନ ଜାତୀୟ ରାଜପଥ-୧୬ର ମାର୍କୋଣା ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ ପ୍ରାୟ ୭୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସ୍ ସ୍କର୍ପିଓ ଓ ଅନ୍ୟ ଏକ କାର୍ ସହ ଧକ୍କା ହୋଇଥିଲା।
ସୂଚନା ଅନୁସାରେ, ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ କିଛି ସମୟ ପାଇଁ ଅଫରାତଫରି ସୃଷ୍ଟି ହୋଇଥିଲା। ତେବେ ସୌଭାଗ୍ୟବଶତଃ ବସ୍ରେ ଥିବା ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ରହିଥିବା ବେଳେ ସ୍କର୍ପିଓରେ ଯାଉଥିବା ଜଣେ ବୃଦ୍ଧ ଓ ଜଣେ ଯୁବତୀ ଆହତ ହୋଇଛନ୍ତି।
ଆହତ ଉଭୟଙ୍କୁ ତୁରନ୍ତ ସିମୁଳିଆ ମେଡିକାଲକୁ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଖବର ପାଇ ସିମୁଳିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାନବାହନକୁ ହଟାଇବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି।