ଭୁବନେଶ୍ୱର: ବହୁ ଚର୍ଚ୍ଚିତ ତାମିଲନାଡ଼ୁ ଏକ୍ସପ୍ରେସରୁ ସୁଟକେସ୍ ଭିତରୁ ଓଡ଼ିଆ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ବଡ଼ ସୂଚନା ସାମ୍ନାକୁ ଆସିଛି । ମୃତ ଓଡ଼ିଆ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇଛି । ସେ ହେଉଛନ୍ତି ହୟାଥୁନ ନିଶା । ସେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦେଉଳି ରାମେଶ୍ୱର ଗ୍ରାମର ବୋଲି ଜଣାପଡ଼ିଛି । ସେପଟେ ହୟାଥୁନଙ୍କ ହତ୍ୟା ପଛରେ ମଧ୍ୟ ଜଣେ ଓଡ଼ିଆ ମହିଳା ଥିବା ସନ୍ଦେହ କରାଯାଉଛି ।
ହୟାଥୁନ ନିଶା ବାହାଘର ପରେ ପ୍ରାୟ ୨୦ ବର୍ଷ ହେବ ଚେନ୍ନାଇରେ ରହୁଥିଲେ । ସେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ତାଙ୍କ ସହିତ ଶାଶୁ ମଧ୍ୟ ରହୁଥିଲେ । ଗତ ୪ ବର୍ଷ ତଳେ ହୟାଥୁନଙ୍କ ଶାଶୁ ଘରକୁ ପଳାଇ ଆସିଥିଲେ । ହୟାଥୁନଙ୍କ ସ୍ୱାମୀ ନିଖୋଜ ଥିବାବେଳେ ପୁଅ ସହିତ ସେ ଏକା ଚେନ୍ନାଇରେ ରହୁଥିଲେ । ପୁଅ ମଧ୍ୟ ହଷ୍ଟେଲ ରହି ପାଠ ପଢ଼ୁଥିଲା । ସେ ଏକ ଦମ୍ପତ୍ତିଙ୍କୁ ନିଜ ଭଡ଼ା ଘରେ ରଖିଥିଲେ । ଉଭୟ ମିଶି ଭଡ଼ା ଟଙ୍କା ଦେଉଥିଲେ । ଗତ କିଛି ଦିନ ତଳେ ସେ ଇପିଇଏଫ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କା ପାଇଁ ତାଙ୍କର ହତ୍ୟା ହୋଇଥିବା ଶାଶୁ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ସନ୍ଦିଗ୍ଧ ଦମ୍ପତ୍ତିଙ୍କୁ ପୋଲିସ ଅଟକ ରଖିଛି । ଲସ୍କର ଓ ଭଗବତୀ ମାଝୀଙ୍କୁ ପୋଲିସ ଅଟକ ରଖିଛି । ଭଗବତୀ ମଧ୍ୟ ଜଣେ ଓଡ଼ିଆ ବୋଲି ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ ଯେ ଗତ ଅଗଷ୍ଟ ୫ ତାରିଖରେ ତାମିଲନାଡ଼ୁ ଏକ୍ପପ୍ରେସରେ ଆଗ୍ରା କ୍ୟାଣ୍ଟନମେଣ୍ଟ୍ ରେଳ ଷ୍ଟେସନରେ ଏକ ସନ୍ଦିଗ୍ଧ ନାଲି ସୁଟକେସ୍ ମିଳିଥିଲା । ସକାଳ ପ୍ରାୟ ୫ଟା ବେଳେ ଜିଆରପି ଟିମ୍ ସୁଟକେସକୁ ଜବତ କରିଥିଲା । ସୁଟକେଶ ଭିତରୁ ଏକ ଖଣ୍ଡ ବିଖଣ୍ଡିତ ଗଳିତ ମୃତ ଦେହ ମିଳିଥିଲା ।
ଏହା ସିସିଟିଭି ଫୁଟେଜରେ ଦୁଇ ଜଣଙ୍କୁ ପୋଲିସ ଠାବ କରିଥିଲା । ଉକ୍ତ ଦମ୍ପତ୍ତିଙ୍କ ହାତରେ ସେହି ନାଲି ସୁଟକେସ୍ ଥିବା ପୋଲିସ ତଦନ୍ତ ବେଳେ ଦେଖିବାକୁ ପାଇଥିଲା । ଉଭୟ ହାତରେ ଏକ ନାଲି ସୁଟକେସ୍ ଧରି ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ସିସିଟିଭି ଫୁଟେଜ ଆଧାରରେ ଉକ୍ତ ଦମ୍ପତ୍ତିଙ୍କୁ ଚେନ୍ନାଇର ଗୁଡୁଭାଞ୍ଚେରୀ ଅଞ୍ଚଳରୁ ପୋଲିସ ଗିରଫ କରିଥିଲା ।