ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ କୋଲୋମ୍ବୋ ଟେଷ୍ଟରେ ଏକ ବଡ଼ ସଙ୍କଟର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଶ୍ରୀଲଙ୍କାକୁ ଫଲୋ-ଅନ୍ କରାଇବା ଭାରତ ପାଇଁ ଓଲଟା ମହଙ୍ଗା ପଡ଼ିଛି। ଶ୍ରୀଲଙ୍କାର ଯୁବ ବ୍ୟାଟ୍ସମ୍ୟାନ୍ ସୋନାଲ ଦିନୁଷା ଭାରତୀୟ ବୋଲରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି। ସେ ଚଳିତ ସିରିଜର କ୍ରମାଗତ ଚତୁର୍ଥ ପାଳିରେ ଅର୍ଦ୍ଧଶତକ ହାସଲ କରି ଭାରତର ବିଜୟ ପଥରେ ବାଧା ସାଜିଛନ୍ତି।
ମ୍ୟାଚ୍ର ଚତୁର୍ଥ ଦିନ ଶେଷ ସୁଦ୍ଧା ଶ୍ରୀଲଙ୍କା ୬ଟି ୱିକେଟ୍ ହରାଇ ସାରିଥିଲା, କିନ୍ତୁ ପଞ୍ଚମ ଦିନରେ ସୋନାଲ ଦିନୁଷା ଏବଂ କେଶରା ନୁଭନ୍ତା ଭାରତୀୟ ବୋଲରମାନଙ୍କୁ କ୍ଲାନ୍ତ କରିଦେଇଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ଦଳକୁ ମ୍ୟାଚ୍ ଡ୍ର’ ଆଡ଼କୁ ଟାଣି ନେଉଛି। ଯଦି ଭାରତ ଏହି ମ୍ୟାଚ୍ ଡ୍ର’ ରହେ, ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (WTC) ଫାଇନାଲ୍ ସମୀକରଣ ଉପରେ ଏହାର କିପରି ପ୍ରଭାବ ପଡ଼ିବ, ଆସନ୍ତୁ ଜାଣିବା।
WTC ପଏଣ୍ଟ ଟେବୁଲ୍ ଉପରେ କ'ଣ ପଡ଼ିବ ପ୍ରଭାବ?
ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ଟେବୁଲ୍ରେ ଭାରତ ୫୩.୩୩ ପିସିଟି (PCT) ସହିତ ପଞ୍ଚମ ସ୍ଥାନରେ ରହିଛି। ଯଦି କୋଲୋମ୍ବୋ ଟେଷ୍ଟ୍ ଡ୍ର’ ହୁଏ, ତେବେ ଭାରତର ପଏଣ୍ଟ ଟେବୁଲ୍ ସ୍ଥାନରେ ବଡ଼ ଧରଣର ପରିବର୍ତ୍ତନ ନହେଲେ ମଧ୍ୟ PCT (ପଏଣ୍ଟ ପ୍ରତିଶତ) ଉପରେ ବଡ଼ ପ୍ରଭାବ ପଡ଼ିବ। ଯଦି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ଡ୍ର’ରେ ଶେଷ ହୁଏ, ତେବେ ଉଭୟ ଦଳକୁ ୪-୪ ଅଙ୍କ ମିଳିବ। ତେବେ ପିସିଟି ହିସାବରେ ଭାରତକୁ ବଡ଼ କ୍ଷତି ସହିବାକୁ ପଡ଼ିବ। ମ୍ୟାଚ୍ ଡ୍ର’ ହେଲେ ଭାରତର ପିସିଟି ୫୩.୩୩ରୁ ଖସି ୫୧.୫୧କୁ ଚାଲିଯିବ, ଯାହାକି ଟିମ୍ ଇଣ୍ଡିଆ ପାଇଁ ଭଲ ସଙ୍କେତ ନୁହେଁ।
ପଞ୍ଚମ ଦିନର ପରିସ୍ଥିତିକୁ ଦେଖିଲେ ଭାରତର ହାରିବା ସମ୍ଭାବନା ବହୁତ କମ୍, କାରଣ ଶ୍ରୀଲଙ୍କା ମ୍ୟାଚ୍କୁ ଡ୍ର’ କରିବାକୁ ସବୁ ପ୍ରକାର ପ୍ରୟାସ କରୁଛି। ତଥାପି ଯଦି କୌଣସି ପରିସ୍ଥିତିରେ ଭାରତ ପରାଜୟର ସମ୍ମୁଖୀନ ହୁଏ, ତେବେ ପିସିଟି ସିଧାସଳଖ ୪୮.୪୮କୁ ଖସିଯିବ।
ଭାରତ ପାଇଁ 'ଭିଲେନ୍' ସାଜିଛନ୍ତି ସୋନାଲ ଦିନୁଷା
ଚଳିତ ଟେଷ୍ଟ ସିରିଜରେ ଶ୍ରୀଲଙ୍କାର ଯୁବ ଖେଳାଳି ସୋନାଲ ଦିନୁଷା ଭାରତୀୟ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛନ୍ତି। ସେ ସିରିଜର କ୍ରମାଗତ ୪ଟି ପାଳିରେ ୫୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଗଲ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ସେ ଯଥାକ୍ରମେ ୧୦୦ ଏବଂ ୮୪ ରନ୍ର ଦମଦାର ପାଳି ଖେଳିଥିଲେ। ଏହାପରେ କୋଲୋମ୍ବୋ ଟେଷ୍ଟର ପ୍ରଥମ ପାଳିରେ ୧୦୩ ରନ୍ କରିଥିବାବେଳେ ଦ୍ୱିତୀୟ ପାଳିରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।