ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ଅଣ୍ଡର-୧୯ କ୍ରିକେଟ୍ ଦଳ ମଧ୍ୟରେ ହେବାକୁଥିବା ଆଗାମୀ ଘରୋଇ ସିରିଜ୍ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଯୁବ୍ ଦଳର ଘୋଷଣା କରାଯାଇଛି। ଏହି ସ୍କ୍ୱାଡ୍ରେ କ୍ରିକେଟ୍ ଜଗତର ଦୁଇ ମହାନ ଦିଗ୍ଗଜ ବୀରେନ୍ଦ୍ର ସେହ୍ୱାଗ ଏବଂ ରାହୁଲ ଦ୍ରାବିଡ଼ଙ୍କ ପୁଅଙ୍କୁ ସାମିଲ କରାଯାଇଛି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ବିସିସିଆଇର ଜାତୀୟ ଚୟନ କମିଟି ପକ୍ଷରୁ ପ୍ରକାଶିତ ତାଲିକା ଅନୁଯାୟୀ, ପୂର୍ବତନ ବିସ୍ଫୋରକ ଓପନର୍ ବୀରେନ୍ଦ୍ର ସେହ୍ୱାଗ ଙ୍କ ପୁଅ ଆର୍ଯ୍ୟବୀର ସେହ୍ୱାଗ ଭାରତୀୟ ଅଣ୍ଡର-୧୯ ଦଳରେ ସ୍ଥାନ ସୁରକ୍ଷିତ କରିଛନ୍ତି। ସେ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଏବଂ ନିକଟରେ ଘରୋଇ କ୍ରିକେଟ୍ରେ ଦମଦାର ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ।
ଅନ୍ୟପକ୍ଷରେ, ଭାରତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନ୍ୱୟ ଦ୍ରାବିଡ଼ ମଧ୍ୟ ଅଣ୍ଡର-୧୯ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ଅନ୍ୱୟ ଜଣେ ୱିକେଟ୍କିପର-ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ସ୍ଥାନ ପାଇଛନ୍ତି। ଦିଗ୍ଗଜଙ୍କ ପୁଅମାନେ ଏକାଠି ଜାତୀୟ ଯୁବ୍ ଦଳର ପୋଷାକ ପିନ୍ଧି ମୈଦାନକୁ ଓହ୍ଲାଉଥିବାରୁ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳର ଏହି ଭାରତ ଗସ୍ତରେ ତିନୋଟି ଦିନିକିଆ ଏବଂ ଦୁଇଟି ମଲ୍ଟି-ଡେ' ମ୍ୟାଚ୍ ଖେଳାଯିବ। ସମସ୍ତ ତିନୋଟି ଦିନିକିଆ ମ୍ୟାଚ୍ ରାଜକୋଟ୍ଠାରେ ଅନୁଷ୍ଠିତ ହେବ। (ପ୍ରଥମ ଦିନିକିଆ ସେପ୍ଟେମ୍ବର ୧୮ ଏବଂ ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ଯଥାକ୍ରମେ ସେପ୍ଟେମ୍ବର ୨୧ ଓ ୨୩ ତାରିଖରେ ଖେଳାଯିବ। ପ୍ରଥମ ମଲ୍ଟି-ଡେ' ମ୍ୟାଚ୍ ରାଜକୋଟ୍ ଏବଂ ଦ୍ୱିତୀୟ ମ୍ୟାଚ୍ ଅହମ୍ମଦାବାଦର ବି-ଗ୍ରାଉଣ୍ଡରେ ଖେଳାଯିବାର କାର୍ଯ୍ୟସୂଚୀ ରହିଛି।
Also Read: ଇଣ୍ଡିଆ ମ୍ୟାଚର କ୍ରେଜ, କିଛି ଘଣ୍ଟା ଭାତରେ ବିକ୍ରି ହୋଇଗଲା ୨୬ ହଜାର ଟିକେଟ୍