କଟକ: ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆଙ୍କୁ ମାନ୍ୟବର ଉଚ୍ଚ ଅଦାଲତ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ନ କରିବା ଓ ଅଦାଲତ ଅବମାନନା ମାମଲାରେ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ ଦେବା ଅଭିଯୋଗରେ ନୋଟିସ୍ ହୋଇଛି । ୨୦୨୫, ସେପ୍ଟେମ୍ବର ୨୫ର ଆଦେଶର ଜାଣିଶୁଣି ଉଲ୍ଲଂଘନ ପାଇଁ କାହିଁକି ତାଙ୍କ ବିରୋଧରେ ଅଦାଲତ ଅବମାନନା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଉତ୍ତର ରଖିବାକୁ ହାଇକୋର୍ଟ ନୋଟିସ୍ ରେ କହିଛନ୍ତି । ସପ୍ତାହ ମଧ୍ୟରେ ନୋଟିସର ଜବାବ ରଖିବାକୁ ଅଦାଲତ ମହଲତ ଦେଇଛନ୍ତି ।
ହାଇକୋର୍ଟ ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସାଗରିକା ପରିଡ଼ାଙ୍କ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ୨୦୧୭ରେ ସାଗରିକା ପରିଡ଼ା ପୋଲିସ ଏସଆଇ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନଥିବା ତଥ୍ୟ ସେ ଦାଖଲ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ଏରସମା ଥାନାରେ ତିନୋଟି ଫୌଜଦାରୀ ମାମଲା ଅତୀତରେ ପଞ୍ଜୀକୃତ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କୁ ୨୦୨୦, ନଭେମ୍ବର ୧୨ରେ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ଏ ନେଇ ସାଗରିକା ପରିଡ଼ା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା ।
ପରବର୍ତ୍ତୀ ସମୟରେ ଦୋଷମୁକ୍ତ ହେବା ପରେ ତାଙ୍କୁ ଚାକିରିରେ ପୁନଃଅବସ୍ଥାପିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଦାଲତଙ୍କ ଆଦେଶ ପାଳନ ହୋଇନଥିବା ଦେଖା ଯାଇଛି । ଯେଉଁଥିପାଇଁ ପୂର୍ବତନ ଡିଜିପିଙ୍କୁ ନୋଟିସ ଜାରି ହୋଇଛି ।
ସେ ଅବସର ନେଇ ସାରିଥିବାରୁ ପୋଲିସ ଆଇଜି (ପର୍ସୋନେଲ) ତାଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିବେ । କାରଣ ଦର୍ଶାଅ ନୋଟିସ ପାଇବାର ୭ ଦିନ ଭିତରେ ଖୁରାନିଆ ଜବାବ ଦାଖଲ କରିବେ । ମାମଲାର ଶୁଣାଣି ବେଳେ ଖୁରାନିଆ ଅବସର ଗ୍ରହଣ କରିସାରିଥିବାରୁ ମାମଲାକୁ ବନ୍ଦ କରିବାକୁ ରାଜ୍ୟ ସରକାର ଯୁକ୍ତି କରିଥିଲେ । ତେବେ ପ୍ରତିପକ୍ଷ ଅବସର ନେଇ ସାରିଥିଲେ ମଧ୍ୟ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।
ଅନ୍ୟପକ୍ଷେ ସାଗରିକା ପରିଡ଼ାଙ୍କୁ ଚାରି ସପ୍ତାହ ମଧ୍ୟରେ ଚାକିରିରେ ପୁନଃ ଅବସ୍ଥାପିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏଥିରେ ପୁଣି ଥରେ ଅବହେଳା ପରିଲକ୍ଷିତ ହୁଏ ତେବେ ଭାରପ୍ରାପ୍ତ ଡିଜିପି ଓ ଆଇଜି (ପର୍ସୋନେଲ) ସେପ୍ଟେମ୍ବର ୨୮ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ହାଇକୋର୍ଟ କହିଛନ୍ତି ।