ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଳୟର ନୂତନ ନୀତି ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗାଡ଼ି ପୃଥକୀକରଣ ବା 'ଭେଇକିଲ୍ କ୍ଲାସିଫିକେସନ୍' ନୀତି ଆଧାରରେ କାଗଜପତ୍ର ଅାପଡେଟ୍ ନଥିବା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ କେବଳ ଓଡ଼ିଶାରେ ୨୦ ଲକ୍ଷ ଗାଡ଼ି ସ୍ଥାୟୀ ଭାବେ ଆରକାଇଭ୍ କୁ ଚାଲିଯାଇଥିବା ବେଳେ ସେଗୁଡ଼ିକର ପଞ୍ଜୀକରଣ ସାର୍ଟିଫିକେଟ୍ (RC) ବାତିଲ ହୋଇସାରିଛି।
ଅଜାଣତରେ ବାତିଲ ହେଉଛି ଆରସି
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଗାଡ଼ିର ପଞ୍ଜୀକରଣ ସ୍ଥାୟୀ ଭାବେ ବାତିଲ ହେଉଥିଲେ ମଧ୍ୟ ଗାଡ଼ି ମାଲିକମାନେ ଏନେଇ କୌଣସି ପୂର୍ବ ସୂଚନା ପାଉନାହାନ୍ତି। ଯାଞ୍ଚ ସମୟରେ ଧରାପଡ଼ିଲେ ସେମାନେ ଜାଣିବାକୁ ପାଉଛନ୍ତି ଯେ ସେମାନଙ୍କ ଗାଡ଼ିର ଆରସି ନାହିଁ। ଏହାଦ୍ୱାରା ସାଧାରଣ ଲୋକେ ଜରିମାନା ଗଣିବା ସହ ନୂତନ ଗାଡ଼ି କିଣିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ, ରାଜ୍ୟର ଆଉ ୩୦ ଲକ୍ଷ ଗାଡ଼ି ଅସ୍ଥାୟୀ ଆରକାଇଭ୍ କୁ ଚାଲିଯାଇଛି। ଯଦି ମାଲିକମାନେ ଆଗାମୀ ବର୍ଷେ ଦୁଇବର୍ଷ ଭାତରେ କାଗଜପତ୍ର ନବୀକରଣ ନ କରନ୍ତି, ତେବେ ସେଗୁଡ଼ିକ ମଧ୍ୟ ସ୍ଥାୟୀ ଭାବେ ବାତିଲ ହୋଇଯିବ।
୧ କୋଟି ୧୦ ଲକ୍ଷ ଗାଡ଼ିରୁ ମାତ୍ର ୪୦ ଲକ୍ଷଙ୍କ କାଗଜପତ୍ର ଠିକ୍
ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାରେ ଉଭୟ ଘରୋଇ ଏବଂ ବାଣିଜ୍ୟିକ ଗାଡ଼ି ମିଶାଇ ମୋଟ ସଂଖ୍ୟା ପ୍ରାୟ ୧ କୋଟି ୧୦ ଲକ୍ଷ। ମାତ୍ର ଏତେଗୁଡ଼ିଏ ଗାଡ଼ି ଭିତରୁ କେବଳ ୪୦ ଲକ୍ଷ ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ରହିଛି। ଅଧିକାଂଶ ଗାଡ଼ିରେ ବୀମା କିମ୍ବା ପ୍ରଦୂଷଣ ପ୍ରମାଣପତ୍ର (PUC) ନାହିଁ। କେବଳ ୬୫ ଲକ୍ଷ ଗାଡ଼ିର ବୀମା ନଥିବା ଜଣାପଡ଼ିଛି। ବିଶେଷ କରି ୧୫ ବର୍ଷ ପୂରଣ ହେବା ପରେ ଅନେକ ଲୋକ ଗାଡ଼ିର ରେଜିଷ୍ଟ୍ରେସନ୍ ରିନ୍ୟୁ କରୁନାହାନ୍ତି।
ପ୍ରଶାସନିକ ପ୍ରତିକ୍ରିୟା ଓ ସତର୍କତା
ଏହି ପ୍ରସଙ୍ଗରେ ରାଜ୍ୟ ପରିବହନ ପ୍ରାଧିକରଣର ଅତିରିକ୍ତ କମିସନର ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ନିୟମ ଅଟେ। 'ବାହାନ' ଡାଟାବେସ୍ ଯାଞ୍ଚ କରି କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି। ତେଣୁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପୂର୍ବରୁ ସମସ୍ତ ଗାଡ଼ି ମାଲିକମାନେ ତୁରନ୍ତ ନିଜ ନିଜ ଗାଡ଼ିର କାଗଜପତ୍ର ଠିକ୍ କରାଇନେବାକୁ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।