ଦେବଗଡ଼: ଯାତ୍ରା ମଞ୍ଚରେ ଅଭିନୟ ଚାଲିଥିବା ବେଳେ ଏକ ବଡ଼ଧରଣର ଅଘଟଣ ଘଟିଛି। ମଞ୍ଚରେ ନାଟକ ପରିବେଷଣ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଛନ୍ତି ଜଣାଶୁଣା ଯାତ୍ରା ଅଭିନେତା ପୀୟୁଷ ତ୍ରିପାଠୀ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଦେବଗଡ଼ ଜିଲ୍ଲା ବାସୁପାଲି ଗ୍ରାମରେ ‘ସିଂହବାହିନୀ ଯାତ୍ରା ପାର୍ଟି’ ପକ୍ଷରୁ ଯାତ୍ରା ପରିବେଷଣ କରାଯାଉଥିଲା। ଏହି ସମୟରେ ‘ଏଡା’ ନାଟକର ମଞ୍ଚନ ଚାଲିଥିବା ବେଳେ ଅଭିନେତା ପୀୟୁଷ ତ୍ରିପାଠୀ ହଠାତ୍ ମଞ୍ଚ ଉପରେ ଅଚାନକ ପଡ଼ିଯାଇଥିଲେ। ଫଳରେ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା।
ଅଧାରୁ ବନ୍ଦ ହେଲା ଯାତ୍ରା, ହସ୍ପିଟାଲରେ ଚିକିତ୍ସାଧୀନ
ମଞ୍ଚ ଉପରେ ଅଭିନେତା ଜଣଙ୍କ ପଡ଼ିଯିବା ଦେଖି ଦର୍ଶକ ଓ ଆୟୋଜକମାନଙ୍କ ମଧ୍ୟରେ କ୍ଷଣିକ ପାଇଁ ଆତଙ୍କ ଓ ଚିନ୍ତା ଖେଳିଯାଇଥିଲା। ତୁରନ୍ତ ତାଙ୍କୁ ମଞ୍ଚରୁ ତଳକୁ ଅଣାଯାଇଥିଲା। ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଯାତ୍ରା କମିଟି ପକ୍ଷରୁ ସେହି ସମୟରେ ନାଟକ ପରିବେଷଣକୁ ଅଧାରୁ ବନ୍ଦ କରିଦିଆଯାଇଥିଲା।
ପରେ ପୀୟୁଷ ତ୍ରିପାଠୀଙ୍କୁ ଜରୁରୀକାଳୀନ ଚିକିତ୍ସା ନିମନ୍ତେ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ତେବେ ଲୋକପ୍ରିୟ ଅଭିନେତା ଆହତ ହେବା ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ଯାତ୍ରାପ୍ରେମୀ ଏବଂ ତାଙ୍କ ଅଂଶୁମାନ ପ୍ରଶଂସକଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ ପାଇଛି। ସମସ୍ତେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।