ମୁମ୍ବାଇ: ଦ୍ୱାପର ଯୁଗରେ ସ୍ୱାମୀ ପାଇଁ ଆଖିରେ ଅନ୍ଧପୁଟୁଳି ବାନ୍ଧିଥିଲା ଗାନ୍ଧାରୀ । ଆଉ କଳିଯୁଗରେ ଝିଅ ପାଇଁ ଆଖିରେ ଅନ୍ଧପୁଟୁଳି ବାନ୍ଧିବ ଗାନ୍ଧାରୀ । ସେତିକି ନୁହେଁ ଝିଅ ପାଇଁ ନିଜେ ମଇଦାନକୁ ଓହ୍ଲାଇ ଲଢ଼ିବ ଯୁଦ୍ଧ । ଏଭଳି ରୋମାଞ୍ଚଭରା କାହାଣୀ ନେଇ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ରେ ଆସିବାକୁ ଯାଉଛି ତାପସୀ ପନ୍ନୁଙ୍କ ଅଭିନୀତ ‘ଗାନ୍ଧାରୀ’ ।
ଆଜି ‘ଗାନ୍ଧାରୀ’ ସିନେମାରେ ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଯେଉଁଥିରେ ଜଣେ ଅସହାୟ ଅନ୍ଧୁଣୀ ମାଆର ଶକ୍ତି ଦେଖିବାକୁ ମିଳିଛି । ନିଖୋଜ ଝିଅକୁ ଖୋଜିବାକୁ ଆକାଶ ପାତାଳ ଏକ କରିଦେଇଛି ଅନ୍ଧୁଣୀ ମାଆ । ଟ୍ରେଲରେ ଦେଖାଯାଇଛି ଯେ ଗାନ୍ଧାରୀ ଚରିତ୍ର ଅଭିନୟ କରିଥିବା ତାପସୀ ପନ୍ନୁଙ୍କ ଝିଅ ମିଷ୍ଠି ରେଳ ଷ୍ଟେସନରୁ ନିଖୋଜ ହୋଇଯାଉଛି । ଝିଅକୁ ବଞ୍ଚାଇବାକୁ ଯାଇ ମାଆ ନିଜର ଦୁଇଟି ଆଖି ହରାଇ ବସୁଛି । ପୋଲିସଠାରୁ ନିରାଶ ହେବା ପରେ ନିଜେ ଝିଅକୁ ଖୋଜିବାକୁ ବାହାରି ପଡ଼ିଛି । କିନ୍ତୁ ଅନ୍ଧ ଆଖି ତାକୁ ବାଧା ଦେଉଛି । ତଥାପି ସେ ହାର୍ ମାନୁ ନାହିଁ । ଏଭଳି ଏକ କାହାଣୀକୁ ନେଇ ନିର୍ମିତ ହୋଇଛି ‘ଗାନ୍ଧାରୀ’ ସିନେମା ।
ତାପସୀଙ୍କ ଜବରଦସ୍ତ ଅଭିନୟ ସହିତ ଆକ୍ସନ୍ସ ମଧ୍ୟ ଦେଖିବାକୁ ମିଳିଛି । ସେ ଗୁଣ୍ଡାମାନଙ୍କ ସହିତ ନିଜେ ଫାଇଟ୍ କରୁଛନ୍ତି ।
ନିର୍ଦ୍ଦେଶକ ଦେବାଶୀଷ ମଖିଜା ନିର୍ଦ୍ଦେଶନା ଦେଇଥିବାବେଳେ କନିକା ଢିଲ୍ଲୋ ନିଜେ କାହାଣୀ ଲେଖିବା ସହିଜ ପ୍ରଯୋଜକ ମଧ୍ୟ ଅଟନ୍ତି । ଅନ୍ୟ କଳାକାରଙ୍କ ମଧ୍ୟରେ ଅଛନ୍ତି, ଇଶ୍ୱାକ ସିଂହ, ଜତିନ ସରନା, ସ୍ୱସ୍ତିକା ମୁଖାର୍ଜୀ, ମୀତା ବଶିଷ୍ଠ ଏବଂ ଛାୟା କଦମ ଅଛନ୍ତି । ଫିଲ୍ମଟି ସେପ୍ଟେମ୍ବର 3ରେ ମୁକ୍ତିଲାଭ କରିବାକୁ ଯାଉଛି ।